ନୂଆଦିଲ୍ଲୀ, ୮/୧: ଆଇଏଏସ୍ ଅଫିସରଭାବେ ଉତ୍ତମ ପରିଚିତି ପାଇଥିବା ମହିଳା ଆଇଏଏସ୍ ଅଫିସର ବି.ଚନ୍ଦ୍ରକଳା ଏବେ ଦୁର୍ନୀତୀରେ ଛନ୍ଦିହୋଇ ଅଭିଯୁକ୍ତ ପାଲଟିଛନ୍ତି । ଉତ୍ତରପ୍ରଦେଶର ବେଆଇନ୍ ବାଲି ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ଆଇଏଏସ୍ ଅଫିସର ବି.ଚନ୍ଦ୍ରକଳାଙ୍କ ସମେତ ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ବହୁ ଗୁମର ପଦାକୁ ଆସିଛି । ତେବେ ଦୁର୍ନୀତି ମାମମଲାରେ ସିବିଆଇ ବି.ଚନ୍ଦ୍ରକଳାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି । ଗତ ୫ ତାରିଖରେ ସିବିଆଇ ବେଆଇନ୍ ବାଲିଖନନ ମାମଲାରେ ବି.ଚନ୍ଦ୍ରକଳାଙ୍କ ବାସଭବନ ସହ ୧୧ଟି ସ୍ଥାନରେ ଚାଉ କରିଥିଲା । ଏଥିରେ ସିବିଆଇ ୧୧ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ସେହି ତାଲିକାରେ ବି.ଚନ୍ଦ୍ରକଳା ଅଛନ୍ତି ।୨୦୦୮ ବ୍ୟାଚ୍ ତଥା ୟୁପି କ୍ୟାଡର ଆଇଏଏସ୍ ଅଫିସର ବି.ଚନ୍ଦ୍ରକଳା ୨୦୧୨-୧୪ରେ ୟୁପିର ହମିରପୁରରେ ଜିଲ୍ଲାପାଳ ଥିବା ବେଳେ ଜିଲ୍ଲାର ଖଣି ଲିଜ୍ ଆବଣ୍ଟନରେ ଅନିୟମିତତା ହୋଇଥିବା ସିବିଆଇ ଦର୍ଶାଇଛି । ସେହିପରି ବର୍ଷକରେ ବି.ଚନ୍ଦ୍ରକଳାଙ୍କ ସମ୍ପତ୍ତି ୯୦ ପ୍ରତିଶତ ବଢିଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶ ବୁଲନ୍ଦସହରର ଜିଲ୍ଲାପାଳ ଥିବା ବେଳେ ରାସ୍ତା ର୍ନିମାଣରେ ଅନିୟମିତତା କରୁଥିବା ଠିକାଦାର ଓ ଅଫିସରଙ୍କୁ ପାନେ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ । ଏହାର ଭିଡ଼ିଓ ସୋଶାଲ ମିଡ଼ିଆରେ ବେଶ ଭାଇରାଲ ହେଇଥିଲା । ଦୁର୍ନୀତି ବିରୋଧୀ ନୀତି ପାଇଁ ସେ ସୋଶାଲ୍ ମିଡିଆରେ ଷ୍ଟାର ପାଲଟିଯାଇଥିଲେ । ୧୯୭୯ରେ ତେଲେଙ୍ଗାନାରେ ଜନ୍ମଗ୍ରହଣ କରିଥିବା ବି.ଚନ୍ଦ୍ରକଳା ୨୦୦୮ ବ୍ୟାଚ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।