୧୫ ବର୍ଷ ପରେ ଜୋତା ପିନ୍ଧିଲେ ଏହି କଂଗ୍ରେସ କର୍ମୀ

0

ଭୋପାଲ, ୨୭/୧୨ : ମଧ୍ୟ ପ୍ରଦେଶରେ କଂଗ୍ରେସ ପୁଣି ଥରେ କ୍ଷମତାକୁ ନଫେରିବା ପର୍ଯ୍ୟନ୍ତ ଜୋତା ପିନ୍ଧିବେ ନାହିଁ ବୋଲି ଜଣେ ସାଧାରଣ କଂଗ୍ରେସ କର୍ମୀ ପ୍ରତିଜ୍ଞା ନେଇଥିଲେ । ତେବେ ୧୫ ବର୍ଷ ପରେ ତାଙ୍କର ଏହି ପ୍ରତିଜ୍ଞା ପୁରଣ ହୋଇଛି । ୪୦ ବର୍ଷିୟ କର୍ମୀ ୧୫ ବର୍ଷ ପରେ ପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିବା ପରେ ସେ ଜୋତା ପିନ୍ଧିଛନ୍ତି । ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉପସ୍ଥିତିରେ ସେ ଜୋତା ପିନ୍ଧିଥିଲେ । ଏହି କଂଗ୍ରେସ କର୍ମୀଙ୍କ ନାଁ ଦୁର୍ଗା ଲାଲ କିରାଡ । ଗତକାଲି ମୁଖ୍ୟମନ୍ତ୍ରୀ କମଲନାଥ ଏବଂ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଗୁର୍ଗାଲାଲ କିରାଡଙ୍କ ଘରକୁ ଯାଇ ତାଙ୍କୁ ଜୋତା ପିନ୍ଧିବାକୁ ଅନୁରୋଧ କରିଥିଲେ । ଦଳ ପ୍ରତି ଏଭଳି ନିଷ୍ଠା ପାଇଁ ଏହି ଦୁଇ ନେତା କିରାଡଙ୍କୁ କୃତଜ୍ଞତା ଜଣାଇଥିଲେ । କମଲନାଥ ଟ୍ୱିଟ୍‌ କରି ଲେଖିଛନ୍ତି କି, ଆଜି କର୍ମୀ ଶ୍ରୀ ଦୁର୍ଗା ଲାଲ କିରାଡଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଲୁ ଏବଂ ଜୋତା ପିନ୍ଧିବାକୁ କହିଲୁ । ଯେ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଫେରିନାହିଁ ସେପର୍ଯ୍ୟନ୍ତ ସେ ଜୋତା ପିନ୍ଧିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ । ଏଭଳି କାର୍ଯ୍ୟକର୍ତ୍ତାଙ୍କୁ ମୁଁ ସଲାମ ଜଣାଉଛି, ଯିଏ କଂଗ୍ରେସ ପାଇଁ ନିଷ୍ଠାର ସହ ଦିନରାତି ପରିଶ୍ରମ କରୁଛନ୍ତି । କମଲନାଥ ଡିସେମ୍ବର ୧୭ ରେ ମଧ୍ୟ ପ୍ରଦେଶର ୧୮ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ତେବେ ୧୫ ବର୍ଷ ପରେ ଏଠାରେ କଂଗ୍ରେସ ସରକାର ଗଠନ କରିବାର କ୍ଷମତା ହାସଲ କରିଛି । ୧୯୯୩ରୁ ୨୦୦୩ ପର୍ଯ୍ୟନ୍ତ ଦିଗବିଜୟ ସିଂହ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ଏହା ପରେ କଂଗ୍ରେସ ଲଗାତାର ବିଧାନସଭା ର୍ନିବାଚନ ହାରି ଯାଇଥିଲା ଏବଂ ବିଜେପି ସରକାର ଗଠନ କରିଥିଲା । ଏହି ଫଳାଫଳ ଆସିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗ୍ୱିଜୟ ସିଂହ ପ୍ରତିଜ୍ଞା କରିଥିଲେ ଯେ ସେ ଆଉ ର୍ନିବାଚନ ଲଢ଼ିବେ ନାହିଁ କି ରାଜ୍ୟ ରାଜନୀତିରେ ହସ୍ତକ୍ଷେପ କରିବେ ନାହିଁ । ସେହି ସମୟରେ ଏହି କଂଗ୍ରେସ କର୍ମୀ ପ୍ରତିଜ୍ଞା କରିଥିଲେ ଯେ, ରାଜ୍ୟରେ କଂଗ୍ରେସ କ୍ଷମତାକୁ ନଫେରିବା ଯାଏଁ ସେ ଜୋତା ପିନ୍ଧିବେ ନାହିଁ ।

Leave A Reply

Your email address will not be published.