ନୂଆଦିଲ୍ଲୀ, ୧୬/୫: ଭାରତର ଚିର ଶତ୍ରୁ ପାକିସ୍ତାନ ନିଜର ପ୍ରକୃତିକୁ କେବେବି ବଦଳାଇ ପାରିବ ନାହିଁ । ବାୟୁସେନାର ୱିଙ୍ଗ କମାଣ୍ଡର୍ ଅଭିନନ୍ଦନଙ୍କୁ ଦିଆଯାଇଥିବା ନିର୍ଯ୍ୟାତନାରୁ ପ୍ରମାଣ ହେଉଛି । ଭାରତର ଚେତାବନୀ ପରେ ପାକିସ୍ତାନ କମାଣ୍ଡର୍ ଅଭିନନ୍ଦନଙ୍କୁ ଛାଡ଼ିଥିଲା । ମାତ୍ର ଅଭିନନ୍ଦନଙ୍କୁ ମିଳିଥିଲା ଅକଥନୀୟ ନିର୍ଯ୍ୟାତନା । କେବଳ ସେତିକି ନୁହେଁ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ହାତକୁ ଟେକି ଦେଇଥିଲା ପାକ୍ । ଆଉ ଅଭିନନ୍ଦନଙ୍କୁ ଦୀର୍ଘ ୪୦ ଘଣ୍ଟା ଧରି ଜେରା କରିବା ସହିତ ନିର୍ଯ୍ୟାତନା ଦେଇଛି ଏହି ଏଜେନ୍ସି ।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଣାଳୟର ସୂତ୍ର ମୁତାବକ, ପାକିସ୍ତାନର ଯୁଦ୍ଧ ବିମାନ ଏଫ୍-୧୬କୁ ତଳକୁ ମାରି ଖସାଇବା ପରେ ଅଭିନନ୍ଦନଙ୍କ ବିମାନ ପାକିସ୍ତାନ ସୀମାରେ ଓହ୍ଲାଇଥିଲା । ଏହା ପରେ ପାକିସ୍ତାନ ସେନା ତାଙ୍କୁ ହେପାଜତରେ ନେଇଥିଲା । ସେଠାରେ ମାତ୍ର ୪ ଘଣ୍ଟା ତାଙ୍କୁ ପଚରାଉଚରା କରାଯାଇଥିଲା । ଏହା ପରେ ପାକ୍ର ଗୁଇନ୍ଦା ବିଭାଗ ଆଇଏସ୍ଆଇ ତାଙ୍କୁ ଇସଲାମାବାଦରୁ ଲାୱଲପିଣ୍ଡି ନେଇଯାଇଥିଲା । ସେଠାରେ ଆଇଏସ୍ଆଇ ତଦନ୍ତକାରୀ ଟିମ୍ ପ୍ରାୟ ୪୦ ଘଣ୍ଟା ଧରି ବନ୍ଦ କୋଠରୀ ଭିତରରେ ରଖିଥିଲା । ଅଭିନନ୍ଦନଙ୍କ ଠାରୁ ତଥ୍ୟ ନେବା ପାଇଁ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା ବୋଲି ଜଣାପଡ଼ିଛି ।
କେବଳ ସେତିକି ନୁହେଁ ତାଙ୍କ ଆଖିକୁ ବନ୍ଦ କରି ରଖାଯାଇଥିଲା । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ତାଙ୍କୁ ନିଆଯାଉଥିଲା ବୋଲି ସେ ଜାଣିପାରୁ ଥିବା କହିଛନ୍ତି । ଯେ ପର୍ଯ୍ୟନ୍ତ ପାକ୍ ସେନାର ହେପାଜତରେ ଥିଲେ ତାଙ୍କ ସହିତ ଠିକ୍ଠାକ୍ ବ୍ୟବହାର କରାଯାଇଥିଲା । କିନ୍ତୁ ଆଇଏସ୍ଆଇ ତଥ୍ୟ ନେବା ପାଇଁ ସବୁପ୍ରକାର ନିର୍ଯ୍ୟାତନା ଦେଇଥିଲା । ଯେତେବେଳେ ସେ ପାକ୍ ସୀମାରେ ପଡ଼ି ଯାଇଥିଲେ ସେତେବେଳେ ବନ୍ଧୁକରେ ତାଙ୍କ ମୁଣ୍ଡକୁ ପିଟିଥିଲେ । ଯାହାର କଟା ଦାଗ ଅଛି । କିନ୍ତୁ ଡାହାଣ ଆଖିରେ ଯେଉଁ କଳାଦାଗ ରହିଥିଲା ତାହା ଆଇଏସ୍ଆଇ ଦେଇଥିବା ନିର୍ଯ୍ୟାତନାର ପ୍ରମାଣ ବୋଲି ସେ କହିଛନ୍ତି ।