ଅଭିନେତା ସଞ୍ଜୟ ଦତ୍ତ ହେବେ କେନ୍ଦ୍ର ସରକାରଙ୍କ ନିଶା ନିରୋଧି ଅଭିଯାନର ବ୍ରାଣ୍ଡ୍‌ ଆମ୍ବାସଡର

ମୁମ୍ବାଇ,୧୮/୬: କେନ୍ଦ୍ର ସରକାରଙ୍କ ନିଶା ନିରୋଧି ଅଭିଯାନର ବ୍ରାଣ୍ଡ୍‌ ଆମ୍ବାସଡର ହେବେ ଅଭିନେତା ସଞ୍ଜୟ ଦତ୍ତ। ନିଶା କେତେ ସଂଘାତିକ ତାହାର ପୂରା ଅନୁଭୂତି ଦତ୍ତଙ୍କ ନିକଟରେ ଥିବା ହେତୁ ଏହି ଅଭିଯାନକୁ ସେ ଭଲ କରି ଲୋକଙ୍କ ନିକଟରେ ପହଞ୍ଚାଇ ପାରିବେ ବୋଲି ଆଶା କରାଯାଉଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ଦତ୍ତଙ୍କ ସଂପର୍କରେ ଏପରି କୁହାଯାଇଛି।

୨୦୧୮-୨୫ ମଧ୍ୟରେ କେନ୍ଦ୍ର ସରକାର ନିଶା କାରବାରରେ ହ୍ରାସ ଘଟାଇବା ସକାଶେ କେନ୍ଦ୍ର ସରକର ରାଷ୍ଟ୍ରୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ମୁତାବକ ନିଶା ମୁକ୍ତ ଶିକ୍ଷା, ସଚେତନତା, ପରାମର୍ଶ ଓ ଉପଚାର ଆଦିକୁ ଧ୍ୟାନ ଦିଆଯିବ।

ବର୍ଷକ ମଧ୍ୟରେ ୧୨୭ଟି ବିଶେଷ ଭାବେ ନିଶା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ମନ୍ତ୍ରାଳୟ ପକ୍ଷରୁ ଚିହ୍ନଟ କରାଯାଇଛି। ତେବେ, କେନ୍ଦ୍ର ସରକାରଙ୍କ ନିଶା ନିରୋଧି ଅଭିଯାନରେ ଦତ୍ତଙ୍କ ଭୂମିକା ସଂପର୍କରେ ଜୁନ୍‌ ୨୬ରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ। ଜୁନ୍‌ ୨୬ ହେଉଛି ଅନ୍ତର୍ଜାତୀୟ ନିଶା ନିରୋଧି ଦିବସ।