ଇଂଲଣ୍ଡର ଘାତକ ବୋଲିଂ, ୨୧୨ ରନରେ ୱେଷ୍ଟଇଣ୍ଡିଜ ଅଲଆଉଟ୍

ସାଉଥଆମ୍ପଟନ,୧୪/୬: ଆଇସିସି କ୍ରିକେଟ ବିଶ୍ୱକପର ୧୯ ତମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡର ଅଧିନାୟକ ଇଅନ୍ ମୋର୍ଗାନ । ଟସ୍ ହାରିବା ସହିତ ପ୍ରଥମେ ବ୍ୟାଟିଂ କରିଥିଲା ୱେଷ୍ଟଇଣ୍ଡିଜ୍ । କିନ୍ତୁ ଇଂଲଣ୍ଡର ଘାତକ ବୋଲିଂ ସାମ୍ନାରେ ପୁରା ଟିମ୍ ୪୪.୪ ଓଭରରେ ମାତ୍ର ୨୧୨ ରନ କରି ଅଲଆଉଟ୍ ହୋଇଯାଇଛି ।

ୱେଷ୍ଟଇଣ୍ଡିଜ ପକ୍ଷରୁ ନିକୋଲାସ୍ ପୁରାନ୍ ୭୮ଟି ବଲରୁ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ସର୍ବାଧିକ ୬୩ ରନ କରିଥିଲେ । ତାଙ୍କ ବ୍ୟତୀତ କ୍ରିସ୍ ଗେଲ ୩୬ ରନ(୪୧ବଲ), ସିମରନ ହେଟମାୟର ୩୯ ରନ(୪୮ ବଲ), ଆଣ୍ଡ୍ରେ ରସେଲ ୨୧ ରନ(୧୬ ବଲ), ବ୍ରେଥୱେଟ ୧୪ ରନ(୨୨ ବଲ) କରିଥିଲେ ।

ଇଂଲଣ୍ଡ ପକ୍ଷରୁ ଘାତକ ବୋଲିଂର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ନିକୋଲାସ୍ ପୁରାନ୍ ଓ ସିମରନ ହେଟମାୟରଙ୍କ ଯୋଡିକୁ ଛାଡିଦେଲେ ଅନ୍ୟ କୌଣସି ଯୋଡି ବେଶି ସମୟ ଧରି ଇଂଲଣ୍ଡ ବୋଲରଙ୍କୁ ସାମ୍ନା କରିପାରିନଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୯ ଓଭର ବୋଲିଂ କରି ୩୦ ରନ ଦେଇ ୩ଟି ୱିକେଟ, ମାର୍କ ଉଡ୍ ୬.୪ ଓଭରରେ ୧୮ ରନ ଦେଇ ୩ଟି ୱିକେଟ, ଜଏ ରୁଟ୍ ୫ ଓଭରରେ ୨୭ ରନ ଦେଇ ୨ଟି ୱିକେଟ ନେଇଥିବା ବେଳେ କ୍ରିସ୍ ଓକ୍ସ ଓ ଲିଆମ୍ ପ୍ଲଙ୍କେଟଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଏହା ସହିତ ନିଜ କ୍ୟାରିୟରର 50 ୱିକେଟ ହାସଲ କରିଛନ୍ତି ମାର୍କ ଉଡ୍ । ତେବେ ଆଜିର ମ୍ୟାଚକୁ ଜିତିବା ପାଇଁ ଇଂଲଣ୍ଡକୁ ନିର୍ଦ୍ଧାରିତ ୫୦ ଓଭରରେ ୨୧୩ ରନ କରିବାକୁ ପଡିବ ।