ବିଜେପିର ପ୍ରାର୍ଥୀ ଘୋଷଣା : ଜଗତସିଂହପୁର ଲୋକସଭାରୁ ବିଭୁ, କାକଟପୁରରୁ ରବି ମଲ୍ଲିକ

ଭୁବନେଶ୍ଵର,୬/୪: ଗୋଟିଏ ଲୋକସଭା ଓ ୨ଟି ବିଧାନସଭା ଆସନରେ ଭାରତୀୟ ଜନତା ପାର୍ଟି(ବିଜେପି) ଆଜି ପ୍ରାର୍ଥୀ ଘୋଷଣା କରିଛି। ଘୋଷଣା ହେବାକୁ ବାକିଥିବା ଜଗତସିଂହପୁର ଲୋକସଭା ଆସନ ପାଇଁ ଦଳ ବିଭୁ ତରାଇଙ୍କୁ ପ୍ରାର୍ଥୀ କରିଛି। ଏହି ପରି ଦଳ କେନ୍ଦ୍ରାପଡ଼ା ଓ କାକଟପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହା ସହିତ ବିଜେପି ରାଜ୍ୟର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ପ୍ରାର୍ଥୀ ଦେଇ ସାରିଛି।

ନିକଟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବିଭୁ ତରାଇଙ୍କୁ ଦଳ ଜଗତସିଂହପୁର ଲୋକସଭା ପାଇଁ ପ୍ରାର୍ଥୀ କରିଛି। କେନ୍ଦ୍ରାପଡ଼ା ବିଧାନସଭା ପାଇଁ ସୁନାକାର ବେହେରା ଓ କାକଟପୁରରୁ ରବି ମଲ୍ଲିକଙ୍କୁ ପ୍ରାର୍ଥୀ କରାଯାଇଛି। ଏହାକୁ ମିଶାଇ ବିଜେପି ସମସ୍ତ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ଶେଷ କରିଛି।

ଉଲ୍ଲେଖଯୋଗ୍ୟ, ବିଭୁ ତରାଇ ହେଉଛନ୍ତି ପୂର୍ବତନ ଜଗତସିଂହପୁର ସାଂସଦ। ସେ ୨୦୦୯ ନିର୍ବାଚନରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ କଂଗ୍ରେସର ନୀତି ଆଦର୍ଶ ଏବଂ ଦଳୀୟ କନ୍ଦଳରେ ଅସନ୍ତୁଷ୍ଟ ବ୍ୟକ୍ତି କରି ଦଳ ଛାଡିଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପି ୨୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଜଗତସିଂହପୁରରେ ପ୍ରାର୍ଥୀ ଦେଇନଥିଲା। ଏବେ ବିଭୁଙ୍କୁ ଦଳ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି।

ଏହି ପରି ପୂର୍ବତନ କାକଟପୁର ବିଧାୟକ। ରବି ମଲ୍ଲିକ ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ କାକଟପୁରରୁ ବିଜେପି ପ୍ରାର୍ଥୀ ବିଜେଡିରେ ଯୋଗ ଦେବା ପରେ ଏଠାରେ ବିଜେପିକୁ ପ୍ରାର୍ଥୀ ଘୋଷଣା କରିବାର ଥିଲା। ଏବେ ରବି ମଲ୍ଲିକ ଦଳରେ ଯୋଗ ଦେବା ପରେ ତାଙ୍କୁ କାକଟପୁରର ପ୍ରାର୍ଥୀ କରାଯାଇଛି।