ଆଜି ଜାତୀୟ ମହାକାଶ ଦିବସ, ଚନ୍ଦ୍ରଯାନ-୩ ସଫଳତାକୁ ପୂରିଲା ୩ ବର୍ଷ

ନୂଆଦିଲ୍ଲୀ, ୨୩/୦୮ : ଚନ୍ଦ୍ରଯାନ-୩ ସଫଳତାର ୩ ବର୍ଷ । ଆଜିର ଦିନରେ ଚନ୍ଦ୍ରରେ ଇତିହାସ ଲେଖିଥିଲା ଭାରତ । ଆଜି ଦେଶ ପାଳନ କରୁଛି ଜାତୀୟ ମହାକାଶ ଦିବସ । ତିନି ବର୍ଷ ତଳେ ଠିକ୍ ଏହି ଦିନ, ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ‘ବିକ୍ରମ’ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫଳ ସଫ୍ଟ ଲ୍ୟାଣ୍ଡିଂ କରି ଭାରତୀୟ ମହାକାଶ ଇତିହାସରେ ଯୋଡ଼ିଥିଲା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏହି ଐତିହାସିକ ସଫଳତାର ସ୍ମୃତିରେ ପ୍ରତିବର୍ଷ ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯାଉଛି । ୨୦୨୩ ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ର ‘ବିକ୍ରମ’ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ସଫଳତାର ସହ ଅବତରଣ କରିଥିଲା । ଏହାପରେ ‘ପ୍ରଜ୍ଞାନ’ ରୋଭର ଚନ୍ଦ୍ରପୃଷ୍ଠରେ ଓହ୍ଲାଇ ନିଜର ବୈଜ୍ଞାନିକ ଅନୁସନ୍ଧାନ ଆରମ୍ଭ କରିଥିଲା । ଏହି ସଫଳତା ସହ ଭାରତ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିବା ବିଶ୍ୱର ଚତୁର୍ଥ ଦେଶ ହୋଇଥିଲା । ସେହିପରି ଚନ୍ଦ୍ରର ଦକ୍ଷିଣ ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ଅବତରଣ କରିବାରେ ଭାରତ ପ୍ରଥମ ଦେଶ ଭାବେ ଇତିହାସ ରଚିଥିଲା। ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଯେଉଁ ସ୍ଥାନରେ ଅବତରଣ କରିଥିଲା, ସେହି ସ୍ଥାନକୁ ‘ଶିବ ଶକ୍ତି ପଏଣ୍ଟ’ ନାମ ଦିଆଯାଇଥିଲା । ଚନ୍ଦ୍ରଯାନ-୨ର ଅବତରଣ ପ୍ରୟାସ ସହ ଜଡ଼ିତ ସ୍ଥାନକୁ ‘ତିରଙ୍ଗା ପଏଣ୍ଟ’ ନାମ ଦିଆଯାଇଥିଲା । ଏହା ସହ ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ ବୋଲି ଘୋଷଣା ହୋଇଥିଲା ।

ଜାତୀୟ ମହାକାଶ ଦିବସ କେବଳ ଚନ୍ଦ୍ରଯାନ-୩ର ସଫଳତାକୁ ମନେ ପକାଇବାର ଦିନ ନୁହେଁ। ଦେଶର ଦୈନନ୍ଦିନ ଜୀବନରେ ମହାକାଶ ବିଜ୍ଞାନର ଭୂମିକାକୁ ମଧ୍ୟ ଏହି ଦିନ ସାମ୍ନାକୁ ଆଣିଥାଏ । ଉପଗ୍ରହ ଆଧାରିତ ଯୋଗାଯୋଗ, ପାଣିପାଗ ପୂର୍ବାନୁମାନ, ବାତ୍ୟା ସତର୍କତା, କୃଷି, ମତ୍ସ୍ୟଚାଷ, ନାଭିଗେସନ୍, ବିପର୍ଯ୍ୟୟ ପରିଚାଳନା ଓ ପ୍ରାକୃତିକ ସମ୍ପଦ ନିରୀକ୍ଷଣ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ଭାରତର ମହାକାଶ ପ୍ରଯୁକ୍ତି ସାଧାରଣ ଲୋକଙ୍କ ଜୀବନ ସହ ଯୋଡ଼ି ହୋଇଛି। ଜାତୀୟ ମହାକାଶ ଦିବସ ପାଳନର ଆଉ ଏକ ବଡ଼ ଉଦ୍ଦେଶ୍ୟ ହେଉଛି ଦେଶର ନୂଆ ପିଢ଼ିକୁ ବିଜ୍ଞାନ ଓ ମହାକାଶ ପ୍ରଯୁକ୍ତି ପ୍ରତି ଆକର୍ଷିତ କରିବା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ଗବେଷଣା ଓ ନବସୃଜନ ପ୍ରତି ଆଗ୍ରହ ବଢ଼ାଇବା ଏହି ଦିବସର ଅନ୍ୟତମ ଲକ୍ଷ୍ୟ ।

ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତର ମହାକାଶ ଆକାଂକ୍ଷା ଆହୁରି ବଢ଼ିଛି । ଚନ୍ଦ୍ର ଅନୁସନ୍ଧାନ ସହ ମାନବ ମହାକାଶ ଅଭିଯାନ, ନିଜସ୍ୱ ମହାକାଶ ଷ୍ଟେସନ୍ ଏବଂ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠକୁ ଭାରତୀୟଙ୍କୁ ପଠାଇବା ଭଳି ଦୀର୍ଘମିଆଦୀ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି । ସରକାର ପୂର୍ବରୁ ୨୦୩୫ ସୁଦ୍ଧା ପ୍ରସ୍ତାବିତ ‘ଭାରତୀୟ ଅନ୍ତରିକ୍ଷ ଷ୍ଟେସନ୍’ ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଭାରତୀୟଙ୍କୁ ପହଞ୍ଚାଇବାର ଲକ୍ଷ୍ୟ ସମ୍ପର୍କରେ କହିଛି । ୨୦୧୯ରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ପ୍ରୟାସ ଆଶା ଅନୁଯାୟୀ ସଫଳ ହୋଇନଥିଲା । କିନ୍ତୁ ସେହି ଅନୁଭବକୁ ଆଧାର କରି ISROର ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩କୁ ସଫଳ କରିଥିଲେ । ତେଣୁ ଅଗଷ୍ଟ ୨୩ ଭାରତ ପାଇଁ କେବଳ ଏକ ମହାକାଶ ବିଜୟର ତାରିଖ ନୁହେଁ; ବିଫଳତାରୁ ଶିଖି ପୁଣି ଉଠି ଠିଆ ହେବା ଏବଂ ବିଶ୍ୱ ସମ୍ମୁଖରେ ନିଜ ବୈଜ୍ଞାନିକ କ୍ଷମତା ପ୍ରମାଣ କରିବାର ପ୍ରତୀକ ।