ସରପଞ୍ଚ ଚାମେଲି ଓଝା ବିବାଦରେ NHRC ତଦନ୍ତ, ଆଜି କେନ୍ଦ୍ରାପଡ଼ା ଆସିବ ୩ ଜଣିଆ ଟିମ୍

ଭୁବନେଶ୍ୱର, ୦୫/୧୦ : କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ସହ ଜଡ଼ିତ ବିବାଦ ଏବେ ଜାତୀୟ ମାନବାଧିକାର କମିସନ ନିକଟରେ ପହଞ୍ଚିଛି । ଘଟଣାର ତଦନ୍ତ ପାଇଁ ଆଜି କେନ୍ଦ୍ରାପଡ଼ାରେ ଏକ ୩ ଜଣିଆ ଟିମ୍‌ ପହଞ୍ଚିବେ । ଏନେଇ ଦିଲ୍ଲୀସ୍ଥିତ NHRC କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇଦିଆଯାଇଥିବା କୁହାଯାଇଛି। ତଦନ୍ତ ସମୟରେ ଘଟଣା ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବ ଟିମ୍‌ । ସୂଚନା ଅନୁସାରେ, ମହାକାଳପଡ଼ା ପୁଲିସ, ବିଡିଓ, ବ୍ଲକ୍‌ କର୍ମଚାରୀ, ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ ଏବଂ ଡାକ୍ତରଙ୍କୁ କମିସନଙ୍କ ଟିମ୍‌ ପଚରାଉଚରା କରିପାରେ ।