ଆଇପିଏଲ ଏଲିମିନେଟର ମ୍ୟାଚ : ହାଇଦ୍ରାବାଦକୁ ୧୩୨ ରନର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ

ଆବୁଧାବି : ଆଜି ଆଇପିଏଲର ଏଲିମିନେଟର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚରେ ବାଙ୍ଗାଲୋର ଏବି ଡିଭିଲିୟର୍ସଙ୍କ ୫୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୩୧ ରନ କରିବାକୁ ସକ୍ଷମ ହୋଇଛି। ଜିତିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ସମୁଖରେ ୧୩୨ରନର ବିଜୟ ଲକ୍ଷ୍ୟ ରହିଛି। ଏଲିମିନେଟରର ବିଜୟୀ ଦଳ କ୍ଵାଲିଫାୟର-୨ରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ମୁକାବିଲା କରିବ। ଆଜି ମ୍ୟାଚ୍‌ରେ ପରାଜିତ ଦଳ ଆଇପିଏଲରୁ ବିଦା ହେବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୧୫ ରନରେ ଦୁଇ ଓପନରଙ୍କୁ ହରାଇଥିଲା। ଚଳିତ ଆଇପିଏଲରେ ପ୍ରଥମ ଥର ଓପନିଂ କରିବାକୁ ଓହ୍ଲାଇଥିବା ବିରାଟ କୋହଲି(୬ ରନ) ଦ୍ଵିତୀୟ ଓଭରରେ ଜାସନ ହୋଲଡରଙ୍କ ବଲରେ ଆଉଟ୍ ହୋଇଥିଲେ। ୧୫ ରନ ସ୍କୋରରେ ଇନଫର୍ମ ବ୍ୟାଟସମ୍ୟାନ ଦେବଦତ୍ତ ପାଡିକଲ(୧ ରନ) ହୋଲଡରଙ୍କ ଦ୍ଵିତୀୟ ଶିକାର ହୋଇଥିଲେ।

ଏହା ପରେ ଆରୋନ ଫିଞ୍ଚ ଓ ଏବି ଡିଭିଲିୟର୍ସ ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରରେ ୪୧ ରନ ଯୋଡିଥିଲେ। ହେଲେ ୫୬ ରନ ସ୍କୋରରେ ଶାହବାଜ ନଦୀମ ଆରୋନ ଫିଞ୍ଚଙ୍କୁ ପାଭିଲିୟନ ପଠାଇଥିଲେ। ଫିଞ୍ଚ ୩୦ ବଲରୁ ୩ ଚୌକା ଓ ୧ ଛକା ସହ ୩୨ ରନ କରିଥିଲେ। ମୋଇନ ଅଲ୍ଲୀ ଖାତା ଖୋଲିବା ପୂର୍ବରୁ ରଶିଦ ଖାନଙ୍କ ଚମତ୍କାର ଫିଲ୍ଡିଂରେ ରନ ଆଉଟ୍ ହୋଇଥିଲେ। ୯୯ ରନ ସ୍କୋରରେ ଶିବମ ଦୁବେ(୮ ରନ) ହୋଲଡରଙ୍କ ତୃତୀୟ ଶିକାର ହୋଇଥିଲେ।

ଅନ୍ୟପଟେ ଇନିଂସ ସମ୍ଭାଳିଥିବା ଏବି ଡିଭିଲିୟର୍ସ ସଂଘର୍ଷମୟ ଇନିଂସ ଖେଳି ଆଇପିଏଲରେ ୩୭ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଓ୍ଵାଶିଂଟନ ସୁନ୍ଦର(୫ ରନ) ଆଉଟ୍ ହୋଇଥିଲେ। ହେଲେ ଠିକ୍ ସମୟରେ ଏବି ଡିଭିଲିୟର୍ସ ଆଉଟ୍ ହେବାରୁ ଦଳର ସ୍କୋର ଆଗକୁ ବଢି ପାରିନଥିଲା। ଡିଭିଲିୟର୍ସ ୪୩ ବଲରୁ ୫ ଚୌକା ସହ ୫୬ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ଟି ନଟରାଜନଙ୍କ ବଲରେ ଆଉଟ୍ ହୋଇଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୩୧ ରନ କରିବାକୁ ସମର୍ଥ ହୋଇଛି।

ହାଇଦ୍ରାବାଦ ପକ୍ଷରୁ ଜାସନ ହୋଲଡର ସଫଳ ବୋଲର ଭାବେ ସର୍ବାଧିକ ୩ ଓ୍ଵିକେଟ୍ ନେଇଥିଲେ। ଟି ନଟରାଜନ ୨ ଏବଂ ଶାହବାଜ ନଦୀମ ୧ଟି ଓ୍ଵିକେଟ୍ ନେଇଥିଲେ।