ଓଡିଶାରେ କଂଗ୍ରେସ ସରକାର ଗଢିଲେ କୃଷି ଋଣ ଛାଡ ହେବ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର, ୧୭/୧୨: ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଆସୁ ଆସୁ କୃଷି ଋଣ ଛାଡ କରିଛି । ଏହାକୁ ଏବେ ରାଜନୈତିକ ଅସ୍ତ୍ର କରିଛି ରାଜ୍ୟ କଂଗ୍ରେସ । ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏନେଇ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସର କଥା ଓ କାମ ସମାନ ବୋଲି ଟ୍ୱିଟ କରି ନିରଞ୍ଜନ କହିଛନ୍ତି । କଂଗ୍ରେସ କୃଷକଙ୍କ ସହ ସବୁବେଳେ ଦୃଢ ଭାବେ ଛିଡା ହୋଇଛି ଏବଂ ଆଗକୁ ମଧ୍ୟ ଛିଡା ହେବ ବୋଲି ସେ କହିଛନ୍ତି । “ଦାୟୀତ୍ୱ ନେବାର ପ୍ରଥମ ଦିନରେ ହିଁ ମଧ୍ୟପ୍ରଦେଶରେ କୃଷି ଋଣ ଛାଡ କରିଛି ଆମ ସରକାର” । ସେହିପରି ଓଡିଶାରରେ କଂଗ୍ରେସ ସରକାର ଗଢିଲେ ଆମେ ବି କୃଷି ଋଣ ଛାଡ କରିବୁ ବୋଲି ନିରଞ୍ଜନ କହିଛନ୍ତି ।

ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ପରେ କମଲନାଥ ସର୍ବ ପ୍ରଥମେ କୃଷକଙ୍କ ଋଣ ଛାଡ଼ ଉପରେ ନିଷ୍ପତ୍ତି ନେଇ ଋଣ ଛାଡ଼ର ଫାଇଲରେ ଦସ୍ତଖତ କରିଛନ୍ତି। ଏହି ଆଦେଶ ସହିତ କୃଷକଙ୍କୁ ସରକାରୀ ଓ ସହକାରୀ ବ୍ୟାଙ୍କ ଦ୍ଵାରା ଦିଆଯାଇଥିବା ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵଳ୍ପକାଳୀନ ଫସଲ ଋଣ ଛାଡ଼ ହୋଇଯାଇଛି। ଉଲ୍ଲେଖଯୋଗ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତା ନିର୍ବାଚନ ପ୍ରଚାର ସମୟରେ କୃଷି ଋଣ ଛାଡ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।