ନୂଆଦିଲ୍ଲୀ, ୧୮/୧୨: କଂଗ୍ରେସ ପଦାନୁସରଣ କରୁଛି ବିଜେପି । କଂଗ୍ରେସକୁ ଦେଖି ଗୁଜୁରାଟରେ ମଧ୍ୟ ବିଜେପି କୃଷିଋଣ ଝାଡ କରିବାକୁ ଘୋଷଣା କରିଛି । ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାର ମାତ୍ର କିଛି ଘଣ୍ଟା ପରେ କୃଷିଋଣ ଛାଡ ସଂପର୍କରେ ଘୋଷଣା କରିଥିଲେ । ଆଜି ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃଷିଋଣ ଛାଡ କରିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି ।
ବର୍ତମାନ ବିଜେପିର ଯେଉଁ ଅବସ୍ଥା, ସେ ବି କଂଗ୍ରେସ ଭଳି ଚାଷିମାନଙ୍କୁ ଲୋଭ ଦେଖାଇବାରେ ଲାଗିଲାଣି । ଆଗକୁ ନିର୍ବାଚନ ଥିବାରୁ ବିଜେପି ମଧ୍ୟ ପଛରେ ରହିବାକୁ ଚାହୁଁନାହିଁ । ଗୁଜୁରାଟରେ ବିଜେପି ସରକାର କୃଷକମାନଙ୍କର ପ୍ରାୟ ୬୫୦ କୋଟି ଟଙ୍କାର ବକେୟା ବିଜୁଳି ବିଲ୍ ଛାଡ ଲାଗି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଆଜି ଏ ସଂପର୍କରେ ଘୋଷଣା କରିଛନ୍ତି । ଗୁଜରାଟର ଗ୍ରାମାଞ୍ଚଳରେ ଥିବା ୬ ଲକ୍ଷ କୃଷକ ଏହା ଦ୍ୱାରା ଉପକୃତ ହେବାର ସମ୍ଭାବନା ରହିଛି । ଆହୁରି ମଧ୍ୟ ପୂର୍ବରୁ ବିଲ ବକେୟା ଥାଇ ଲାଇନ କଟିଯାଇଥିଲେ ମାତ୍ର ୫୦୦ ଟଙ୍କା ପୈଠ କରି ପୁଣି ବିଜୁଳି ସଂଯୋଗ ଦିଆଯିବ ବୋଲି ସରକାର କହିଛନ୍ତି ।
ରାଜ୍ୟରେ ୧୫ ବର୍ଷ ଧରି ବିଜେପି ସରକାର ଶାସନ କରିଆସୁଥିଲା । କିନ୍ତୁ ଏଥର ବାଜି ଓଲଟି ଯାଇଛି । ଏଥର କଂଗ୍ରେସର ଯାଦୁ ଦେଶବାସୀଙ୍କ ଉପରେ କାମ କରିଛି । କଂଗ୍ରେସ ଶାସନକୁ ଆସୁଅସୁ କୃଷିଋଣ ଛାଡ କରିବା ଯୋଗୁ କଂଗ୍ରେସ ପ୍ରତି ଜନସାଧାରଣଙ୍କର ଲୋକ ପ୍ରିୟତା ବଢିବାରୁ ବିଜେପି ମଧ୍ୟ କଂଗ୍ରେସ ଭଳି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କୃଷିଋଣ ଛାଡ କରିବା ପାଇଁ ଘୋଷଣା କରିଛି ।