ସ୍ୱାସ୍ଥ୍ୟ ପାଇଁ ହିତକର ବାସି ପଖାଳ: ଦୂର ହୁଏ କୋଷ୍ଠକାଠିନ୍ୟ ସମସ୍ୟା

ବୈଜ୍ଞାନିକଙ୍କ ମତରେ ବାସି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ସେଥିପାଇଁ ବାସି ଖାଦ୍ୟ ବର୍ଜନ ପାଇଁ ଉପଦେଶ ଦିଆଯାଇଥାଏ । କିନ୍ତୁ ଏମିତି ଜିନିଷ ଅଛି ବାସି ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଆମେ ସେହି ବିଷୟରେ ଜଣାଇଦେଉଛୁ । ବାସି ପଖାଳ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଏହି କାରଣରୁ ଏହାକୁ ସେବନ କରିବାକୁ ବି ପରାମର୍ଶ ଦିଆଯାଇଥାଏ ।

ପଖାଳ ଖାଇବାକୁ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପେଟ ପାଇଁ ମଧ୍ୟ ଖୁବ ଉପକାରୀ । ଏହି ପଖାଳ ଭାତ ଖାଇବା ଦ୍ୱାରା ପେଟ ଥଣ୍ଡା ସହ ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ଶରୀରର ତାପମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ ।

ଭାତରେ ପାଣି ପୁରାଇ ଏହାକୁ ରାତି ସାରା ରଖି ପରଦିନ ଖାଇବା ଦ୍ୱାରା ଏହା ଖଣିଜ ପଦାର୍ଥରେ ଭରପୁର ହୋଇଥାଏ । ଏହା ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ ।

ଏହି ପଖାଳ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ପଖାଳ ସେବନ ଦ୍ୱାରା ଶରୀରକୁ କାମ କରିବାକୁ ଆବଶ୍ୟକୀୟ ଶକ୍ତି ମିଳିଥାଏ । ଥକ୍କାପଣ ଅନୁଭବ ହୋଇନଥାଏ ।

ପଖାଳ ଭାତ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି । ଆମେ ଯେତେବେଳେ ୧୦୦ଗ୍ରାମ ଭାତ ରୋଷେଇ କରିଥାଉ ସେଥିରେ ୩.୪ ମିଲିଗ୍ରାମ ଆଇରନ ରହିଥାଏ । ଯଦି ସମାନ ପରିମାଣର ବାସୀ ଭାତରେ ପାଣି ମିଶାଯାଏ , ତେବେ ସେଥିରେ ଆଇରନର ମାତ୍ରା ବୃଦ୍ଧି ପାଇ ୭୩.୯୧ ମିଲିଗ୍ରାମ ହୋଇଯିବ । ଏହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ।

ଏହାସହ ପଖାଳ ଭାତରେ ସୋଡିୟମ, କ୍ୟାଲସିୟମ୍ର ମାତ୍ରା ବୃଦ୍ଧି ହେବ । ପଖାଳ ଭାତ ଖାଇବା ଦ୍ୱାରା ଶରୀରକୁ ଶକ୍ତି ପ୍ରଦାନ କରୁଥିବା ପୋଷକ ତତ୍ତ୍ୱ ମିଳିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଥିବା ଅନେକ ରୋଗ ଦୂର ହୋଇଥାଏ ।