ଚେନ୍ନାଇ : ରବୀନ୍ଦ୍ର ଜାଡେଜା ଏବଂ ବ୍ୟାଟର ଡେଭନ କନଓ୍ଵେଙ୍କ ଦମଦାର ପ୍ରଦର୍ଶନ ବଳରେ ଆଇପିଏଲର ୨୯ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ୭ ଓ୍ଵିକେଟ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ସହଜ ବିଜୟ ହାସଲ କରିଛି। ଚେନ୍ନାଇ ଷଷ୍ଠ ମ୍ୟାଚ୍ରୁ ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ହାଇଦ୍ରାବାଦ ସମାନ ମ୍ୟାଚରୁ ଚତୁର୍ଥ ପରାଜୟ ଭୋଗିଛି। ପଏଣ୍ଟ ଟେବୁଲରେ ଚେନ୍ନାଇ ତୃତୀୟକୁ ଉଠିଥିବା ବେଳେ ହାଇଦ୍ରାବାଦ ନବମରେ ରହିଛି।
ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୭ ଓ୍ଵିକେଟ୍ ହରାଇ ୧୩୪ ରନ କରିଥିଲା। ଦଳ ପକ୍ଷରୁ କୌସି ବ୍ୟାଟର ବଡ ଇନିଂସ ଖେଳି ପାରିନଥିଲେ। ଅଭିଷେକ ଶର୍ମା ସର୍ବାଧିକ ୩୪ ରନ କରିଥିଲେ। ଚେନ୍ନାଇ ପକ୍ଷରୁ ଜାଡେଜା ୨୨ ରନ ଦେଦଇ ୩ଟି ଓ୍ଵିକେଟ୍ ହାସଲ କରିଥିଲେ। ୧୩୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୧୮.୪ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଡେଭନ କନଓ୍ଵେ ୫୭ ବଲ୍ରୁ ୭୭ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ଋତୁରାଜ ଗାଏକଓ୍ଵାଡ ୩୫ ରନ କରିଥିଲେ। ଦୁଇ ବ୍ୟାଟର ପ୍ରଥମ ଓ୍ଵିକେଟ୍ରେ ୮୭ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ।