ବଲାଙ୍ଗୀର: ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବଲାଙ୍ଗୀର ଜିଲ୍ଲା ଝରଣୀ ଗ୍ରାମର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହୋଇସାରିଥିବାବେଳେ ମମିତାଙ୍କ ପରିବାର ୧୦ ଲକ୍ଷ ଟଙ୍କାର ସହାୟତା ପାଇବେ । ପରିବାରର ଏକମାତ୍ର ରୋଜଗାରିଆ ଝିଅକୁ ହତ୍ୟା କରାଯାଇଥିବାରୁ ସହାୟତା ପାଇଁ ମମିତାଙ୍କ ଭାଇ ପ୍ରଶାସନଙ୍କ ନିକଟରେ ଆବେଦନ କରିଥିଲେ ।
ଗତ ୧୩ ତାରିଖରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ଅନୁଷ୍ଠିତ ପୀଡ଼ିତ ଯୋଜନା ସହାୟତା କମିଟି ବୈଠକରେ ମମିତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ଅଧ୍ୟକ୍ଷତାରେ ଏହି ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ମୋଟ ୨୬ଟି ଦରଖାସ୍ତକୁ ବିଚାରକୁ ନିଆଯାଇଥିବାବେଳେ ୧୩ଟିକୁ ଯୋଗ୍ୟ ବିବେଚିତ କରାଯାଇଥିଲା । ମମିତାଙ୍କ ପରିବାରକୁ ପର୍ଯ୍ୟାୟକ୍ରମେ ୫ଲକ୍ଷ ଲେଖାଏଁ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ଦିଆଯିବ ଏବଂ ମାମଲା ସରିବା ପରେ ଆଉ ୫ ଲକ୍ଷ ଟଙ୍କା ଦିଆଯିବ ।