ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତି, ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ, ୦୧/୦୬ : ସୁପ୍ରିମକୋର୍ଟରେ ୫ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି । ଏମାନେ ଖୁବଶୀଘ୍ର ନିଜର ପଦ ଗ୍ରହଣ କରିବେ । ଏହାସହିତ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବଢି ୩୭ ହୋଇଛି । ଏବେ ବି ସୁପ୍ରିମକୋର୍ଟରେ ଜଣେ ବିଚାରପତିଙ୍କ ସ୍ଥାନ ଖାଲି ରହିଛି । ସିଜେଆଇ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ କଲେଜିୟମ ସମ୍ପ୍ରତି ରାଷ୍ଟ୍ରପତିଙ୍କୁ ପାଞ୍ଚ ଜଣଙ୍କ ନାମ ସୁପାରିଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଏନେଇ ସୂଚନା କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରଦାନ କରିଛନ୍ତି । ଏହା ସହିତ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଶୀଳ ନାଗୁ, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ସଚ୍ଚଦେବ,ଜମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁଣ ପାଲିଙ୍କ ନାମ ତାଲିକାରେ ରହିଛି । ବରିଷ୍ଠ ଆଇନଜୀବୀ ଭି. ସୁବ୍ରମଣି ମୋହନାଙ୍କୁ ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଛି। ଆଇନ ମନ୍ତ୍ରଣାଳୟ ସୋମବାର ସକାଳେ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି।

ଅର୍ଜୁନ ରାମ ମେଘୱାଲ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି, ଭାରତୀୟ ସମ୍ବିଧାନର ଧାରା ୧୨୪ (୨) ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ରାଷ୍ଟ୍ରପତି, ଭାରତର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି ନିଯୁକ୍ତ କରିଛନ୍ତି । ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି । ୫ ମେ’ରେ କେନ୍ଦ୍ର କ୍ୟାବିନେଟ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ହେବା ଦ୍ୱାରା ଦୀର୍ଘ ଦିନରୁ ଅଟକି ରହିଥିବା ହଜାର ହଜାର ମାମଲାର ବୋଝ ହ୍ରାସ ପାଇବ।