ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଶପଥ ନେଲେ ୩୫ ଜଣ ମନ୍ତ୍ରୀ

ନୂଆଦିଲ୍ଲୀ, ୦୧/୦୬ : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀ ସରକାରରେ କ୍ୟାବିନେଟ ବିସ୍ତାର କରିଛି । ଶୁଭେନ୍ଦୁ ସରକାରଙ୍କ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ହୋଇଛି । ୩୫ ଜଣ ନୂଆ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କୋଲକତାର ଲୋକ ଭବନଠାରେ ରାଜ୍ୟପାଳ ଆର.ଏନ. ରବି ସମସ୍ତ ୩୫ ଜଣ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ସମ୍ପ୍ରସାରଣରେ ଅର୍ଜୁନ ସିଂ, ଶଙ୍କର ଘୋଷ, ତାପସ ରାୟ, ମନୋଜ କୁମାର ଓରାଓଁ ଏବଂ ସ୍ବପନ ଦାସଗୁପ୍ତାଙ୍କ ଭଳି ପ୍ରମୁଖ ନେତାମାନେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଏହି ନୂଆ ମନ୍ତ୍ରୀଙ୍କ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳର ମୋଟ ସଦସ୍ୟ ସଂଖ୍ୟା ୬ ରୁ ୪୧ କୁ ବୃଦ୍ଧି ପାଇଛି । ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ସର୍ବାଧିକ ୪୪ ଜଣ ମନ୍ତ୍ରୀ ରହିପାରିବେ । ଶପଥ ନେଇଥିବା ୩୫ ଜଣଙ୍କ ମଧ୍ୟରୁ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ, ୩ ଜଣ ସ୍ୱାଧୀନ ଦାୟିତ୍ୱ ବିଶିଷ୍ଟ ରାଷ୍ଟ୍ରମନ୍ତ୍ରୀ ଏବଂ ୧୯ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ପାଇଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ଏବଂ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ପ୍ରାୟ ତିନି ସପ୍ତାହ ପରେ ଏହି ବଡ଼ ଧରଣର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇଛି । ମେ’ ୯ରେ ବ୍ରିଗେଡ୍ ପରେଡ ଗ୍ରାଉଣ୍ଡରେ ପ୍ରଧାନ ମନ୍ତ୍ରୀଙ୍କ ଉପସ୍ଥିତିରେ ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟ ୫ ଜଣ ମନ୍ତ୍ରୀ ଶପଥ ନେଇଥିଲେ । ବର୍ତ୍ତମାନ ମନ୍ତ୍ରିମଣ୍ଡଳ ବିସ୍ତାର ମାଧ୍ୟମରେ ସରକାର ପ୍ରଶାସନିକ କାର୍ଯ୍ୟକୁ ଅଧିକ ଗତିଶୀଳ କରିପାରିବେ ।