ଦିଦିଙ୍କୁ ନାକେଦମ କଲେଣି ଶୁଭେନ୍ଦୁ, ୟୁପିରୁ ଟିଏମସିର ପୂର୍ବତନ ବିଧାୟକ ଗିରଫ

ନୂଆଦିଲ୍ଲୀ, ୦୧/୦୬ : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାର ପୂରାପୂରି ଆକ୍ସନ ମୋଡରେ । ବଙ୍ଗଳା ରାଜନୀତିରେ ପୂର୍ବରୁ ଘଟିଥିବା ଘଟଣାର ପୁରୁଣା ଫାଇଲ୍ ଖୋଲି ଗୋଟି ଗୋଟି କରି ବାନ୍ଧିବାରେ ଲାଗିଛି ଶୁଭେନ୍ଦୁଙ୍କ ପୁଲିସ । ଆଉ ଏହାରି ଭିତରେ ଦକ୍ଷିଣ ଆସନର ପୂର୍ବତନ ଟିଏମସି ବିଧାୟକ ଖୋକନ୍ ଦାସ ୟୁପି ପ୍ରୟାଗରାଜରୁ ଗିରଫ ହୋଇଛନ୍ତି । ପଶ୍ଚିମବଙ୍ଗ ପୁଲିସ ଏବଂ ୟୁପି ପୁଲିସର ଏକ ମିଳିତ ଟିମ୍ ଦ୍ୱାରା ପ୍ରୟାଗରାଜର ହାଣ୍ଡିଆ ଟୋଲ୍ ପ୍ଲାଜା ନିକଟରୁ ତାଙ୍କୁ ଗିରଫ କରାଯାଇଛି । ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହୋଇଥିବା ବ୍ୟାପକ ରାଜନୈତିକ ହିଂସା ମାମଲାରେ ସେ ଦୀର୍ଘ ଦିନ ଧରି ଫରାର ଥିଲେ । ପୁଲିସ ସୂଚନା ଅନୁଯାୟୀ, ଖୋକନ୍ ଦାସ ଏକ ଏସୟୁଭି ଗାଡ଼ିରେ ଦିଲ୍ଲୀରୁ କାନପୁର-ବାରାଣସୀ ଜାତୀୟ ରାଜପଥ ଦେଇ କୋଲକାତା ଅଭିମୁଖେ ଫେରୁଥିବା ସମୟରେ ପୁଲିସ ତାଙ୍କୁ ମାଡ଼ି ବସିଛି । ବିଶେଷ କରି ୨୦୨୧ ମସିହାରେ ତୃଣମୂଳ କଂଗ୍ରେସ ବିପୁଳ ବହୁମତ ସହ ସରକାର ଗଠନ କରିବା ପରେ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖାଦେଇଥିଲା । ଅଭିଯୋଗ ଅନୁଯାୟୀ, ଖୋକନ୍ ଦାସ ବିରୋଧୀ ବିଜେପି ନେତା ଏବଂ କର୍ମୀମାନଙ୍କୁ ଟାର୍ଗେଟ କରିବା ପାଇଁ ଏକ ଉତ୍ୟକ୍ତ ସଙ୍ଘବଦ୍ଧ ଭିଡ଼କୁ ଉସୁକାଇଥିଲେ । ତାଙ୍କ ନିର୍ଦ୍ଦେଶରେ ବିଜେପି କର୍ମୀଙ୍କ ଘର ଉପରେ ଆକ୍ରମଣ ଓ ଭଙ୍ଗାରୁଜା କରାଯାଇଥିଲା । ଏହା ବ୍ୟତୀତ ତାଙ୍କ ନାମରେ ଜବରଦସ୍ତି ଚାନ୍ଦା ଆଦାୟ, ଲୋକଙ୍କୁ ଧମକ ଚମକ ଦେବା ଏବଂ ରାଜନୈତିକ ହିଂସାକୁ ପ୍ରଶ୍ରୟ ଦେବା ଭଳି ଗୁରୁତର ଧାରାରେ ମାମଲା ରୁଜୁ ହୋଇଛି । ଏହି ସବୁ ମାମଲାରେ ସେ ଗିରଫଦାରୀରୁ ବଞ୍ଚିବା ପାଇଁ ଉତ୍ତର ପ୍ରଦେଶରେ ଆସି ଆତ୍ମଗୋପନ କରିଥିଲେ । ପ୍ରୟାଗରାଜର ଡିସିପି କୁଲଦୀପ ସିଂହଙ୍କ କହିବା ଅନୁଯାୟୀ, ପଶ୍ଚିମବଙ୍ଗ ପୁଲିସ ଟିମ୍ ଖୋକନ୍ ଦାସଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଏହାପରେ ପଶ୍ଚିମବଙ୍ଗ ପୁଲିସ ପ୍ରୟାଗରାଜର ସ୍ଥାନୀୟ ହାଣ୍ଡିଆ ପୁଲିସର ସହାୟତା ମାଗିଥିଲା । ଉଭୟ ପୁଲିସର ଏକ ସ୍ପେଶାଲ୍ ଟିମ୍ ଟୋଲ୍ ପ୍ଲାଜା ନିକଟରେ ଗାଡ଼ି ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିଥିଲେ ଏବଂ ଅପରାହ୍ନ ପ୍ରାୟ ୧୨ଟା ସମୟରେ ତାଙ୍କୁ ଧରିବାରେ ସଫଳ ହୋଇଥିଲେ । ଗିରଫ ପରେ ତାଙ୍କୁ ଉତ୍ତର ପ୍ରଦେଶର ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି । ସେଠାରୁ ଟ୍ରାଞ୍ଜିଟ୍ ରିମାଣ୍ଡ ଅନୁମତି ମିଳିବା ପରେ ପଶ୍ଚିମବଙ୍ଗ ପୁଲିସ ତାଙ୍କୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ପଚରାଉଚରା ପାଇଁ ପଶ୍ଚିମବଙ୍ଗ ନେଇଯିବ ।