ଢେଙ୍କାନାଳ : ସର୍ଟ ସର୍କିଟ ଯୋଗୁଁ ଢେଙ୍କାନାଳ ଜିଲ୍ଲା ସଦର ଥାନା ଗୋବିନ୍ଦପ୍ରସାଦ ଗାଁରେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି । ୧୩ଟି ପରିବାରର ୧୫ ବଖରା ଘର ଜଳି ଯିଵା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି । ଢେଙ୍କାନାଳ ଓ ରାସୋଳ ଦୁଇଟି ଅଗ୍ନିଶ୍ରମ କେନ୍ଦ୍ରରୁ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି ।
ପ୍ରଥମେ ଗୋଟିଏ ଘରେ ନିଆଁ ଲାଗି ଯାଇଥିଲା ହଠାତ୍ ହୁତୁହୁତୁ ହୋଇ ନିଆଁ ଜଳି ଉଠିଥିଲା । ଗାଁ ଲୋକେ ନିଆଁ ଲିଭାଇବାକୁ ଆପ୍ରାଣ ଚେଷ୍ଟା କରିଥିଲେ ହେଁ, ସମ୍ଭବ ହୋଇପାରିନଥିଲା । କିଛି ସମୟ ମଧ୍ୟରେ ପାଖକୁ ପାଖ ଲାଗି ରହିଥିବା ଘର ଗୁଡିକୁ ନିଆଁ ବ୍ୟାପି ଯାଇଥିଲା । ମାତ୍ର କେଇ ମିନିଟ ମଧ୍ୟରେ ଏକାଧିକ ଘର ହୁତୁହୁତୁ ହୋଇ ଜଳି ଉଠିଥିଲା । ଖବର ପାଇ ଢେଙ୍କାନାଳ ଅଗ୍ନିଶ୍ରମ କେନ୍ଦ୍ର ଓ ରାସୋଳ ଅଗ୍ନିଶ୍ରମ କେନ୍ଦ୍ରର କର୍ମଚାରୀ ମଧ୍ୟ ପହଞ୍ଚି ନିଆଁ ଲିଭାଇବାରେ ଲାଗି ପଡିଥିଲେ । ମାତ୍ର ସେତେବେଳକୁ ୧୫ରୁ ଉର୍ଦ୍ଧ୍ୱ ଘର ଜଳି ପୋଡି ପାଉଁଶ ହୋଇଯାଇଥିଲା । ଘର ସମେତ ଲକ୍ଷାଧିକ ମୂଲ୍ୟର ଆସଭାବ ପତ୍ର, ଖାଦ୍ୟ ସମାଗ୍ରୀ ଆଦି ପୋଡି ନଷ୍ଟ ହୋଇଯାଇଛି । ତେବେ ସୁରକ୍ଷିତ ଭାବେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବାରୁ କୌଣସି ବ୍ୟକ୍ତି ଆହତ ହୋଇନାହାଁନ୍ତି ।
ଅଗ୍ନିଶ୍ରମ ବିଭାଗର ସୂଚନା ଅନୁସାରେ, ବସନ୍ତ ସେଠୀ, ଗୋପାଳ ସେଠୀ, ଲକ୍ଷ୍ମୀ ସେଠୀ, ପ୍ରଫୁଲ୍ଲ ସେଠୀ, ପାଣ୍ଡବ ସେଠୀ, ରଞ୍ଚୁ ସେଠୀ, ପଙ୍କଜ ବେହେରା, ଅଖିଳ ସେଠୀ, ରଞ୍ଚନ ବେହେରା, ସବିତା ସେଠୀ ପ୍ରମୁଖଙ୍କର ଘର ପୋଡିଯାଇଛି । କ୍ଷୟକ୍ଷତିର ଅକଳନ କରାଯାଉଥିବା ଜିଲ୍ଲା ଅଗ୍ନିଶ୍ରମ ଅଧିକାରୀ ପ୍ରଶାନ୍ତ କୁମାର ଧଳ ସୂଚନା ଦେଇଛନ୍ତି ।