କନେଷ୍ଟବଳ ନିଯୁକ୍ତି ପାଇଁ ବୟସ ସୀମାରେ ୪ ବର୍ଷ କୋହଳ : ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ : ରାଜ୍ୟରେ କନେଷ୍ଟବଳ ନିଯୁକ୍ତି ନେଇ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କନେଷ୍ଟବଳ ନିଯୁକ୍ତି ଦେଇ ରାଜ୍ୟ ସରକାର ୨୦୨୨ ଡିସେମ୍ବର ୩୦ ତାରିଖରେ ଜାରି କରିଥିବା ବିଜ୍ଞାପନ ଉପରେ ହାଇକୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ପୂର୍ବ ବିଜ୍ଞପ୍ତିରେ ଏହି ନିଯୁକ୍ତି ପାଇଁ ବୟସସୀମା ୧୮ରୁ ୨୩ ବର୍ଷ ଥିବାବେଳେ ହାଇକୋର୍ଟ ଏହାକୁ ୪ ବର୍ଷ ବୃଦ୍ଧି କରି ୨୭ କରିଛନ୍ତି । ତେବେ ଏହି ନିୟମ ଚଳିତ ଥରପାଇଁ କେବଳ ଲାଗୁ ହେବ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ରାଜ୍ୟ ସରକାର ୪୭୯୦ କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ।

ତେବେ କରୋନା ସଂକ୍ରମଣ ପାଇଁ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ କନେଷ୍ଟବଳ ନିଯୁକ୍ତି ନେଇ କୌଣସି ପରୀକ୍ଷା କରାଯାଇ ନଥିଲା । ତେଣୁ ବୟସ ସୀମାରେ କୋହଳ ପାଇଁ ଆଶାୟୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହାର ଶୁଣାଣି କରି ଆଶାୟୀ ଆବେଦନକାରୀମାନଙ୍କ ପାଇଁ ବୟସସୀମା ୪ ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନ କରିବାର ସମୟସୀମା ପୂର୍ବରୁ ଚଳିତମାସ ୨୧ ତାରିଖ ରହିଥିବାବେଳେ ଏହାକୁ ହାଇକୋର୍ଟ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେହିପରି ଚଳିତମାସ ୩୦ ସୁଦ୍ଧା ସଂଶୋଧିତ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦେବା ସହ ଫେବୃଆରୀ ୨୦ରେ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଆଶାୟୀମାନେ ଖୁସି ପ୍ରକଟ କରିଛନ୍ତି । ତେବେ ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ପରବର୍ତ୍ତୀ ବିଜ୍ଞପ୍ତି ପାଇଁ ଏହି ବୟସସୀମା ବୃଦ୍ଧି ଲାଗୁ ହେବନାହିଁ ।