ହକି ବିଶ୍ୱକପ : କ୍ୱାର୍ଟର ଫାଇନାଲରେ ହାରିଲେ ସ୍ପେନ୍ ଓ ନ୍ୟୁଜିଲାଣ୍ଡ ସେମିରେ ଅଷ୍ଟ୍ରେଲିଆ, ବେଲ୍ଜିୟମ୍

ଭୁବନେଶ୍ୱର: ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ସେମି ଫାଇନାଲ ଖେଳିବା ପାଇଁ ବିଶ୍ୱର ୧ନଂ ମାନ୍ୟତା ପ୍ରାପ୍ତ ଅଷ୍ଟ୍ରେଲିଆ ଓ ଗତ ବିଶ୍ୱକପ୍ ଚାମ୍ପିଅନ୍ ବେଲିଜିୟମ୍ ଯୋଗ୍ୟତା ହାସଲ କରିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲରେ ସ୍ପେନ୍କୁ ୪-୩ ଗୋଲରେ ଅଷ୍ଟ୍ରେଲିଆ ପରାସ୍ତ କରିଥିଲା ବେଳେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ବେଲଜିୟମ୍ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇଛି ।

ଅଷ୍ଟ୍ରେଲିଆ ଓ ସ୍ପେନ୍ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ପ୍ରଥମାର୍ଦ୍ଧ ଖେଳ ସୁଦ୍ଧା ସ୍ପେନ୍ ୨-୦ରେ ଅଗ୍ରଣୀ ହୋଇଥିଲା । ମାତ୍ର ଏହି ସ୍ଥିତି ପରବର୍ତ୍ତି ସମୟରେ ବଜାୟ ରଖି ପାରିଲା ନାହିଁ । ଅଷ୍ଟ୍ରେଲିଆ ସଫଳତା ଧାରାକୁ ପ୍ରତ୍ୟାବର୍ତ୍ତନ କରି ୪ ଗୋଲ୍ ସ୍କୋର କରିବା ଫଳରେ ଜବରଦସ୍ତ ବିଜୟ ହାସଲ କରିଥିଲା ।

ଅଷ୍ଟ୍ରେଲିଆ ପକ୍ଷରୁ ଫିନ ଓଗିଲିଭେ, ଆରନ ଜାଲେସ୍କି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ ଜେନ୍ମି ହେୱାର୍ଡ ଏକାକି ଦୁଇ ଗୋଲ୍ ସ୍କୋର କରିଥିବା ବେଳେ ସ୍ପେନ୍ ପକ୍ଷରୁ ଜାଭିୟର ଗିସ୍ପର୍ଟ, ମାର୍କ ରେକାସେନସ ଓ ମାର୍କ ମିରାଲେସ ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ବେଲଜିୟମ୍ ୨-୦ରେ ନ୍ୟୁଜିଲାଣ୍ଡକୁ ହରାଇ ଶେଷ ୪ ଦଳ ମଧ୍ୟରେ ସ୍ଥାନ ପକ୍କା କରିନେଇଛି । ପ୍ରଥମ ଓ ଦ୍ୱିତୀୟ କ୍ୱାର୍ଟର ଖେଳରେ ବେଲ୍ଜିୟମ୍ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିବା ସହ ଶେଷ ପର୍ଯ୍ୟନ୍ତ ଏହି ଅଗ୍ରଣୀ ବଜାୟ ରଖି ପାରିଥିଲା ।