IPL : ଆଜି ରୟାଲ ଚ୍ୟାଲେଞ୍ଜର୍ସ-ସନରାଇଜର୍ସ ମଧ୍ୟରେ କଡା ଟକ୍କର

0

ନୂଆଦିଲ୍ଲୀ, ୨୩/୦୫ : ଆଇପିଏଲ୍‌ର ଆଜି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ତେଣୁ ଆଜି ସବୁ ଶକ୍ତି ଖଟାଇ ମ୍ୟାଚ୍‌ ଜିତିବାକୁ ଦଳ ଗୁରୁତ୍ୱ ଦେବ । ସନରାଇଜର୍ସ ପ୍ଲେ-ଅଫ ଦୌଡ଼ରୁ ବାଦ ପଡ଼ି ସାରିଛି । ତେଣୁ ଏହି ମ୍ୟାଚ ଦଳ ପାଇଁ ସେଭଳି ଗୁରୁତ୍ୱ ରଖୁନାହିଁ । ତଥାପି ସମ୍ମାନ ବଞ୍ଚାଇବାକୁ ଦଳ ଗୁରୁତ୍ୱ ଦେବ । ଏହି ମ୍ୟାଚ୍‌ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ଖେଳାଯିବାର ଥିଲା । ମାତ୍ର ବେଙ୍ଗାଲୁରୁରେ ପ୍ରବଳ ବର୍ଷାକୁ ନଜରରେ ରଖି ଏହି ମ୍ୟାଚ୍‌କୁ ଲକ୍ଷ୍ନୌକୁ ସ୍ଥାନାନ୍ତରିତ କରାଯାଇଛି । ଫଳରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଏକାନ୍ନା ଷ୍ଟାଡ଼ିୟମ୍‌କୁ ଘରୋଇ ଗ୍ରାଉଣ୍ଡ ରୂପେ ବ୍ୟବହାର କରିବ ।
+ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୨ଟି ମ୍ୟାଚ୍‌ ଖେଳି ୧୭ ପଏଣ୍ଟ ଅର୍ଜନ କରିସାରିଛି । ଆଜି ବିଜୟ ସହ ଆଉ ୨ ପଏଣ୍ଟ ଯୋଡ଼ିବାକୁ ଦଳ ପ୍ରୟାସ କରିବ । ଏହା ସମ୍ଭବ ହେଲେ ଶୀର୍ଷ ୨ ମଧ୍ୟରେ ସ୍ଥାନ ବଜାୟ ସଫଳ ହେବ, ଯାହା ପ୍ଲେ- ଅଫ୍‌ରେ ଦଳକୁ ସହାୟତା କରିବ । ଅନେକ ନିରାଶ ଓ ଅପେକ୍ଷା ପରେ ରୟାଲ ଚ୍ୟାଲେଞ୍ଜର୍ସ ଆଜି ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯାଉଥିବାରୁ ବେଶ୍‌ ଉତ୍ସାହିତ । ୧୭ ତାରିଖ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌କୁ ବର୍ଷା ଧୋଇ ନେଇଥିଲା । ଏହା ପୂର୍ବରୁ ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଆଇପିଏଲ୍‌ ୧୦ଦିନ ବନ୍ଦ ରହିଥିଲା । ଶେଷ ଥର ପାଇଁ ଗତ ୩ ତାରିଖରେ ଏକ ମ୍ୟାଚ୍‌ ଖେଳିଥିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ । ଦୀର୍ଘ ୨୦ ଦିନ ପରେ ଦଳ ଆଜି ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯାଉଛି । ଆଜି ମୟଙ୍କ ଅଗରୱାଲ୍‌ ଦଳ ପକ୍ଷରୁ ପଦାର୍ପଣ କରିବେ । ବିରାଟ କୋହଲିଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ଏକ ଅର୍ଦ୍ଧଶତକ ଅର୍ଜନ କଲେ ଆଇପିଏଲ୍‌ରେ ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ ବ୍ୟାଟର ଭାବେ ରେକର୍ଡ କରିବେ । ଆଜି ନାଲି ମାଟି ପିଚ୍‌ରେ ମ୍ୟାଚ୍‌ ଖେଳାଯିବ । ପିଚ୍‌ରୁ ଅତିରିକ୍ତ ବାଉନ୍ସ ଦେଖିବାକୁ ମିଳିପାରେ । ବ୍ୟାଟିଂ ପାଇଁ ମଧ୍ୟ ପିଚ୍‌ ଅନୁକୂଳ ରହିବ । ରାତ୍ରିରେ ମ୍ୟାଚ୍‌ ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।

ରୟାଲ୍‌ ଚ୍ୟାଲେଞ୍ଜର୍ସ: ଫିଲ ସଲ୍ଟ, ବିରାଟ କୋହଲି, ମୟଙ୍କ ଅଗରୱାଲ୍‌, ରଜତ ପାତିଦାର (ଅଧିନାୟକ), ଜିତେଶ ଶର୍ମା, ରୋମାରିଓ ସେଫର୍ଡ, ଟିମ ଡେଭିଡ୍‌, କୃନାଲ୍‌ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ୟଶ ଦୟାଲ, ଲୁଙ୍ଗି ଏନଗିଡ଼ି, ସୂୟାଶ ଶର୍ମା ।

ସନରାଇଜର୍ସ ହାଇଦ୍ରାବାଦ: ଟ୍ରେଭିସ ହେଡ୍‌, ଅଭିଷେକ ଶର୍ମା, ଇଶାନ କିଷନ, ନୀତିଶ କୁମାର ରେଡ୍ଡୀ, ହେନରିକ କ୍ଲାସେନ, ଅନିକେତ ବର୍ମା, ଅଭିନବ ମନୋହର, ପ୍ୟାଟ୍‌ କମିନ୍ସ (ଅଧିନାୟକ), ହର୍ଷଲ ପଟେଲ, ହର୍ଷ ଦୁବେ, ଇଶାନ ମାଲିଙ୍ଗା, ଜୟଦେବ ଉନାକାତ ।

Leave A Reply

Your email address will not be published.