ସାରଜା : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୪୧ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧୦ ଓ୍ଵିକେଟ୍ରେ ପରାସ୍ତ କରିଛି। ୧୧୫ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ମୁମ୍ବାଇ ଟିମ୍ ୧୨.୨ ବଲରେ କୌଣସି ଓ୍ଵିକେଟ୍ ନହରାଇ ୧୧୬ ରନ୍ କରିଛି। ଏହି ମ୍ୟାଚରେ ମୁମ୍ବାଇର ଓପନର କ୍ୱିଣ୍ଟନ୍ ଡି କକ୍ (୪୬ ରନ୍, ୩୭ ବଲ, ୫ ଚୌକା, ୨ ଛକା) ଓ ଈଶାନ କିଷାନ (୬୮ ରନ୍, ୩୭ ବଲ, ୬ ଚୌକା, ୫ ଛକା) ଅପରାଜିତ ରହି ଦଳକୁ ଜିତାଇଛନ୍ତି।
ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ତେବେ ମୁମ୍ବାଇର ଭଲ ବୋଲିଂ ରଣନୀତି ଯୋଗୁଁ ଚେନ୍ନାଇ ମାତ୍ର୨.୫ ଓଭରରେ ୩ ରନ୍ ସଂଗ୍ରହ କରି ୪ଟି ମୂଲ୍ୟବାନ ଓ୍ଵିକେଟ୍ (ଋତୁରାଜ ଗାୟକଓ୍ଵାଡ, ଅମ୍ବାତି ରାୟଡୁ, ଏନ୍ ଜଗଦୀଶନ ଓ ଫାଫ୍ ଡୁ ପ୍ଲେସିସ୍) ହରାଇଥିଲା। ଦଳୀୟ ସ୍କୋର ୨୧ ରନ୍ ଥିବା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ୩୦ ରନ୍ ଥିବା ବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଉଟ୍ ହୋଇ ପାଭଲିଅନ୍ ଫେରିଥିଲେ। ଚେନ୍ନାଇ ୪୩ ରନ୍ରେ ଦୀପକ ଚହର, ୭୧ ରନ୍ରେ ଶାର୍ଦ୍ଦୁଲ ଠାକୁର ଓ ୧୧୪ ରନ୍ରେ ସାମ୍ କୁରାନଙ୍କୁ ହରାଇଥିଲା।
ଚେନ୍ନାଇ ପାଇଁ ସାମ୍ କୁରାନ ସର୍ବାଧିକ ୫୨ ରନ୍ କରିଥିଲେ। ସେ ୪୭ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ବଳରେ ଏହି ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟ୍ରୁ ୧୬ ରନ୍ ମିଳିଥିବା ବେଳେ ଇମରାନ ତାହିର ୧୩ ରନ୍ ଯୋଡ଼ି ଅପରାଜିତ ଫେରିଥିଲେ। ଶାର୍ଦ୍ଦୁଲ ଠାକୁର ୧୧ ରନ୍ କରିଥିଲେ।
ମୁମ୍ବାଇ ଇଣ୍ଡିଆନ୍ସର ଟ୍ରେଣ୍ଟ୍ ବୋଲ୍ଟ ୪ଟି ଓ୍ଵିକେଟ ନେଇଥିଲେ। ସେହିପରି କ୍ରୁଣାଳ ପାଣ୍ଡ୍ୟା ଓ ରାହୁଲ ଚାହରଙ୍କୁ ୨-୨ଟି ଓ୍ଵିକେଟ ମିଳିଥିବା ବେଳେ ନାଥାନ କଲ୍ଟର ନାଇଲ୍ ନେଇଥିଲେ ଗୋଟିଏ ଓ୍ଵିକେଟ୍।