ନୂଆଦିଲ୍ଲୀ, ୧୨/୦୯ : ମାଡି ଆସୁଛି ଏଲ ନିନୋ । ପ୍ରଶାନ୍ତ ମହାସାଗରରେ ଏକ ଶକ୍ତିଶାଳୀ ‘ଏଲ୍ ନିନୋ’ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଇସ୍ରୋର ଓସେନସାଟ-୩ ସାଟେଲାଇଟ୍ ସଂକେତ ଦେଇଛି। ଏହାକୁ ବୈଜ୍ଞାନିକମାନେ “ମଦର ଅଫ ଅଲ ଏଲ୍ ନିନୋ” ବୋଲି କହୁଛନ୍ତି। ଯାହା ଆଗାମୀ ଦିନରେ ବିଶ୍ୱର ପାଣିପାଗକୁ ଗମ୍ଭୀର ଭାବେ ପ୍ରଭାବିତ କରିପାରେ। ଇସ୍ରୋର ନ୍ୟାସନାଲ୍ ରିମୋଟ୍ ସେନ୍ସିଂ ସେଣ୍ଟର (NRSC) ର ସୂଚନା ଅନୁଯାୟୀ, ଏହି ପ୍ରକ୍ରିୟା ଯୋଗୁଁ ସମୁଦ୍ରର ପରିବେଶରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ ବିଷୁବରେଖୀୟ ପ୍ରଶାନ୍ତ ମହାସାଗରରେ କ୍ଲୋରୋଫିଲ୍ ପରିମାଣ ବହୁତ କମିଯାଇଛି। ଏହାଦ୍ୱାରା ସାମୁଦ୍ରିକ ଜୀବଙ୍କ ମୁଖ୍ୟ ଖାଦ୍ୟ ‘ଫାଇଟୋପ୍ଲାଙ୍କଟନ୍’ ହ୍ରାସ ପାଉଛି ଏବଂ ସାମୁଦ୍ରିକ ପରିବେଶ ବିପନ୍ନ ହେଉଛି। ସମୁଦ୍ର ଉପର ଦେଇ ପୂର୍ବରୁ ପଶ୍ଚିମ ଦିଗକୁ ବହୁଥିବା ‘ବାଣିଜ୍ୟିକ ପବନ’ ଏଲ୍ ନିନୋ ପ୍ରଭାବରେ ଦୁର୍ବଳ ହୋଇ ବିପରୀତ ଦିଗକୁ ବହିବା ଆରମ୍ଭ କରିଛି। ପବନର ଦିଗ ବଦଳିବା ଯୋଗୁଁ ସମୁଦ୍ର ଗଭୀରରେ ଥିବା ଥଣ୍ଡା ଏବଂ ପୋଷକ ତତ୍ତ୍ଵରେ ଭରପୂର ପାଣି ଉପର ଭାଗକୁ ଆସିପାରୁ ନାହିଁ।
ପୋଷକ ତତ୍ତ୍ଵ ଅଭାବରୁ ସମୁଦ୍ରର ମୁଖ୍ୟ ଖାଦ୍ୟ ଉତ୍ସ ହ୍ରାସ ପାଉଛି। ଫଳରେ ଛୋଟ ମାଛ, ସାମୁଦ୍ରିକ ଜୀବ ଏବଂ ସାମୁଦ୍ରିକ ପକ୍ଷୀମାନେ ଖାଦ୍ୟ ନପାଇ ସଙ୍କଟରେ ପଡ଼ିଛନ୍ତି। ତେବେ ଏହି ପ୍ରାକୃତିକ ପରିବର୍ତ୍ତନ କେବଳ ସାମୁଦ୍ରିକ ଜୀବଜଗତ ନୁହେଁ ବରଂ ସାରା ବିଶ୍ୱ ଓ ଭାରତୀୟ ଉପମହାଦ୍ୱୀପର ପାଣିପାଗ, ମୌସୁମୀ ଏବଂ କୃଷି କ୍ଷେତ୍ର ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏଲ୍ ନିନୋ ପ୍ରକ୍ରିୟା ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ସର୍ବାଧିକ ଶକ୍ତିଶାଳୀ ରହିବ। ଜଳବାୟୁ ବିଶେଷଜ୍ଞଙ୍କ ମତରେ ଏହାର ପ୍ରଭାବ ଆଗାମୀ ଫେବୃଆରୀ ପର୍ଯ୍ୟନ୍ତ ସକ୍ରିୟ ରହିବ। ଇସ୍ରୋ ପକ୍ଷରୁ ଏଲ ନିନୋ ସ୍ଥିତି ଉପରେ ନଜର ରଖାଯାଇଛି। ସତର୍କତାମୂଳକ ପଦକ୍ଷେପ ପାଇଁ ଏହି ତଥ୍ୟକୁ ଭାରତୀୟ ପାଣିପାଗ ବିଭାଗ ଏବଂ ଆନ୍ତର୍ଜାତୀୟ ଜଳବାୟୁ ଗବେଷଣା କେନ୍ଦ୍ରଗୁଡ଼ିକ ସହ ଶେୟାର କରାଯାଉଛି।