ନୂଆଦିଲ୍ଲୀ, ୦୧/୦୬ : ମିଆଁମାରର ଉତ୍ତର-ପୂର୍ବାଞ୍ଚଳରେ ଖଣି ବିସ୍ଫୋରକ ସମଗ୍ରୀ ଗଚ୍ଛିତ ଥିବା ଏକ ବିଲ୍ଡିଂରେ ଭୟଙ୍କର ବିସ୍ଫୋରଣ ଘଟିଛି । ଗତକାଲି ମଧ୍ୟାହ୍ଣରେ ନାମକାମ ସହରର କାଉଙ୍ଗଟୁପ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ତେବେ ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଥିବା ସୂଚନା ମିଳିଛି । ଦୁର୍ଘଟଣାସ୍ଥଳରୁ ୪୬ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଆହତ ହୋଇଥିବା ୭୪ରୁ ଊର୍ଦ୍ଧ୍ବ ଲୋକଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚୀନ ସୀମାରୁ ମାତ୍ର ୩ କିଲୋମିଟର ଦୂର ଶାନ ରାଜ୍ୟର ଉତ୍ତର ଭାଗରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ତେବେ ଏ ଅଞ୍ଚଳଟି ବର୍ତ୍ତମାନ ତାଆଙ୍ଗ ନ୍ୟାସନାଲ ଲିବରେସନ ଆର୍ମି-(TNLA) ନାମକ ଏକ ଆଦିବାସୀ ସଶସ୍ତ୍ର ସଂଗଠନର ନିୟନ୍ତ୍ରଣରେ ଅଛି । ସ୍ଥାନୀୟ ଗଣମାଧ୍ୟମ ଓ ଉଦ୍ଧାରକାରୀଙ୍କ ସୂଚନା ଅନୁସାରେ, ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଆଖପାଖରେ ଥିବା ୧୦୦ ରୁ ଅଧିକ ଘର ଥରି ଉଠିବା ସହ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।