ମହାକାଳପଡ଼ା,୧୩/୦୮ : (ଅରକ୍ଷିତ ନାଥ) – ମହାକାଳପଡ଼ା ବ୍ଲକ ତିଖିରି ପଂଚାୟତ ସରପଞ୍ଚ ଚାମେଲୀ ଓଝାଙ୍କ ବିରୁଦ୍ଧରେ ପଂଚାୟତର ୱାର୍ଡ ସଭ୍ୟ /ସଭ୍ୟା ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ l ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦସ୍ତଖତ ଯାଞ୍ଚ ପରେ ଆଗତ ପ୍ରସ୍ତାବ ଗୃହୀତ ହୋଇଥିଲା l ଵିଧିଅନୁଯାୟୀ ଗୃହୀତର ୧୫ ଦିନ ପରେ ଅଗଷ୍ଟ ୧୩ରେ ପଂଚାୟତ କାର୍ଯ୍ୟାଳୟରେ ଅନାସ୍ଥା ଭୋଟିଂ କରାଯିବ ବୋଲି ସ୍ଥିର ହୋଇଥିଲା l ମାତ୍ର ସରପଞ୍ଚ ଶ୍ରୀମତୀ ଓଝା ଅନାସ୍ଥା ସମ୍ବନ୍ଧେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ l ନ୍ୟାୟାଳୟ ଅନାସ୍ଥା ଭୋଟିଂ ଫଳାଫଳ ଘୋଷଣା ନେଇ ଅନ୍ତରୀଣ ନିର୍ଦେଶ ନାମା ଜାରି କରିଥିଲେ l ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଅନାସ୍ଥା ଆଣିଥିବା ସମସ୍ତ ୱାର୍ଡ ସଭ୍ୟ /ସଭ୍ୟା ନିର୍ଦ୍ଧାରିତ ସମୟରେ ପହଂଚିବା ପରେ ରିଟର୍ଣ୍ଣିଙ୍ଗ ଅଫିସର ଭାବେ ଡେରାବିଶ ତହସିଲଦାର ସରୋଜ ନାୟକ ଉପସ୍ଥିତ ରହି ଭୋଟିଂ କାର୍ଯ୍ୟ ପରିଚାଳନା କରିଥିଲେ l ଏସ୍ଡ଼ିପିଓ ଜ୍ୟୋତିରଞ୍ଜନ ଗୌଡା, ମାର୍ଶାଘାଈ ଥାନା ଅଧିକାରୀ ତପନ ନାୟକ ଓ ପାଟକୁରା ଥାନାଧିକାରୀ ସୌମ୍ୟ ରଞ୍ଜନ ବିଶ୍ୱାଳ ଓ ପୋଲିସ ଫୋର୍ସ ମୁତୟନ ରହି ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ଉପସ୍ଥିତ ଥିଲେ l ଶ୍ରୀମତୀ ଓଝା ରିଟର୍ଣ୍ଣିଙ୍ଗ ଅଫିସଙ୍କୁ ସାକ୍ଷାତ କରି ଉଚ୍ଚ ନ୍ୟାୟାଳୟ ଦ୍ୱାରା ପ୍ରକାଶିତ ଅନ୍ତରୀଣ ରାୟ ର ଏକ କପି ପ୍ରଦାନ କରିଛନ୍ତି l ଭୋଟିଂ ଶେଷ ହୋଇଥିବା ବେଳେ ନ୍ୟାୟାଳୟ ନିର୍ଦ୍ଦେଶ ପରେ ଫଳାଫଳ ଘୋଷିତ ହେବ ବୋଲି ଜଣାପଡିଛି l