ଶ୍ରମିକ ପରିଚାଳନା ପୋର୍ଟାଲ୍‍ର ଶୁଭାରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୬/୬ : କରୋନା ଜନିତ ଲକଡାଉନ୍‍ କାଳରେ ଓଡ଼ିଶାକୁ ଫେରିଥିବା ପ୍ରବାସୀ ଶ୍ରମିକ ଏବଂ ରାଜ୍ୟରେ ଥିବା ଶ୍ରମିକମାନଙ୍କ ସମସ୍ୟାର ସମାଧାନ କରି ସେମାନଙ୍କୁ କାମଧନ୍ଦା ଯୋଗାଇବା, ଦକ୍ଷତା ମ୍ୟାପିଂ କରିବା ଏବଂ ଏହାର ସୁପରିଚାଳନା ନିମନ୍ତେ ରାଜ୍ୟ ସରକାର ଶ୍ରମିକ ପରିଚାଳନା ପୋର୍ଟାଲ୍‍ର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଏବଂ ଇଏସ୍‍ଆଇ ବିଭାଗର ମିଳିତ ଉଦ୍ୟମରେ ଲେବର୍‍ କେସ୍‍ ମ୍ୟାନେଜ୍‍ମେଣ୍ଟ ସିଷ୍ଟମ୍‍ ପୋର୍ଟାଲ୍‍ ଆରମ୍ଭ କରାଯାଇଛି।
ସରକାରୀ ବିଜ୍ଞପ୍ତିରୁ ଜଣାପଡ଼ିଛି, ଏହି ପୋର୍ଟାଲ ମାଧ୍ୟମରେ କେଉଁ ବର୍ଗର ଶ୍ରମିକଙ୍କୁ କେଉଁଭଳି କାମ ଯୋଗାଇ ଦିଆଯିବ, ତାହା ସହଜରେ ଜଣାପଡ଼ିବ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପୋର୍ଟାଲ ହେଉଛି ‘http://lcms.labdirodisha.gov.in’ ରାଜ୍ୟ ସରକାରଙ୍କ ଫାଇଭ୍‍-ଟି ଯୋଜନା ଅଧୀନରେ ଏହି ପୋର୍ଟାଲ ମାଧ୍ୟମରେ ଅନ୍‍ଲାଇନରେ ଅଭିଯୋଗ ଦାୟାର ମଧ୍ୟ କରାଯାଇ ପାରିବ। ମୁଖ୍ୟ ଶାସନ ସଚିବ ଏବଂ ଶ୍ରମ କମିଶନର ଏହି ପୋର୍ଟାଲର ପ୍ରତ୍ୟକ୍ଷ ପରିଚାଳନା କରିବେ ବୋଲି ଜଣାପଡ଼ିଛି।