ବାଲେଶ୍ୱର ଅଘଟଣ ପରେ ଆକ୍ସନ୍ ମୋଡ୍‌ରେ ସରକାର: ଛାତ୍ରୀଙ୍କ ସୁରକ୍ଷା ପାଇଁ ଆସିଲା ‘ଶକ୍ତିଶ୍ରୀ’ ଆପ୍

ଭୁବନେଶ୍ୱର, ୦୨/୦୫ : ବାଲେଶ୍ୱର ଏଫଏମ କଲେଜର ଅଘଟଣ ପରେ ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଶକ୍ତିଶ୍ରୀ’ ନାମକ ଏକ ନୂତନ ମୋବାଇଲ ଆପ୍ ଲଞ୍ଚ୍ କରିଛନ୍ତି, ଯାହା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟକାରୀ ହେବ। ଏହି ଆପ୍ ମାଧ୍ୟମରେ ଛାତ୍ରୀମାନେ ନିଜ ପରିଚୟ ଗୋପନ ରଖି ମାତ୍ର ଗୋଟିଏ କ୍ଲିକ୍‌ରେ ଅଭିଯୋଗ ଜଣାଇପାରିବେ। ୨୪×୭ ଆଲର୍ଟ ସିଷ୍ଟମ୍‌ ସହିତ ଜଡିତ ଏହି ଆପ୍ ଯେକୌଣସି ଅପ୍ରୀତିକର ଘଟଣାର ତୁରନ୍ତ ସୂଚନା ସମ୍ପର୍କିତ କର୍ତ୍ତୃପକ୍ଷଙ୍କୁ ପହଞ୍ଚାଇବ। ସରକାରଙ୍କ ମତରେ, ଏହା କେବଳ ସୁରକ୍ଷା ନୁହେଁ, ଛାତ୍ରୀଙ୍କ ମନରେ ସାହସ ଓ ଆତ୍ମବିଶ୍ୱାସ ଭରିବାର ଏକ ଦୃଢ଼ ପଦକ୍ଷେପ। ଶିକ୍ଷାବିତ୍ ଓ ଅଭିଭାବକମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ଜାତୀୟ ଶିକ୍ଷା ନୀତି-୨୦୨୦ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଶିକ୍ଷା ହେଉଛି ମାନବ ପ୍ରଗତିର ମୂଳ ଆଧାର। ନୂଆ ଶିକ୍ଷା ନୀତି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନୂଆ ଦିଗ ଦେଇଛି।” ସେ କହିଛନ୍ତି, ରାଜ୍ୟରେ ୧୮ଟି ନୂଆ ବିଶ୍ୱବିଦ୍ୟାଳୟ, ଦୁଇଟି ଇଞ୍ଜିନିୟରିଂ ଓ ଦୁଇଟି କୃଷି ମହାବିଦ୍ୟାଳୟ ନିର୍ମାଣ ହେବା ସହ ଐତିହ୍ୟ ବିଦ୍ୟାଳୟମାନଙ୍କୁ ପ୍ରାଥମିକତା ଦିଆଯାଉଛି। ‘ଶକ୍ତିଶ୍ରୀ’ ଆପ୍‌ର ଶୁଭାରମ୍ଭ ସହ ସରକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, “ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ସହ କୌଣସି ସମଝୌତା ନାହିଁ। ଏହା ନିଶ୍ଚିତଭାବେ ଉଚ୍ଚଶିକ୍ଷା ପରିବେଶକୁ ଅଧିକ ସୁରକ୍ଷିତ, ସଶକ୍ତ ଓ ନିର୍ଯାତନାମୁକ୍ତ କରିବ”। ଏହି ପଦକ୍ଷେପ ଆଗାମୀ ଦିନରେ ଉଚ୍ଚଶିକ୍ଷାନୁଷ୍ଠାନରେ ସୁରକ୍ଷିତ ପରିବେଶ ଗଢ଼ି ତୋଳିବ ବୋଲି ଆଶା କରାଯାଉଛି।