ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକଙ୍କୁ ରାସନ କାର୍ଡ ଯୋଗାଇ ଦେବା ପାଇଁ ଇ-ଶ୍ରମ ପୋର୍ଟାଲ୍ରେ ନାଁ ପଞ୍ଜିକରଣ କରାଇବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ତିନି ମାସର ସମୟ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩ ତାରିଖ ଧାର୍ଯ୍ୟ କରିବା ସହ ସ୍ଥିତାବସ୍ଥା ରିପୋର୍ଟ ଦେବାକୁ ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମଆର ଶାହା ଏବଂ ଅସଦୁଦ୍ଦୀନ ଅମାନତୁଲ୍ଲାଙ୍କ ପୀଠ କହିଛନ୍ତି, ଅଧିକରୁ ଅଧିକ ପ୍ରବାସୀ ଶ୍ରମିକ ରାସନକାର୍ଡ ପାଇଁ ଯେମିତି ନିଜର ନାଁ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରି ପାରିବେ ଏବଂ ସେମାନେ ସରକାରୀ ଯୋଜନାର ଲାଭ ପାଇ ପାରିବେ ତାକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ତିନି ମାସର ସମୟ ଦେଉଛୁ।
୨୮ କୋଟି ୬୦ ଲକ୍ଷ ପ୍ରବାସୀ ଏବଂ ଅଣ ପ୍ରବାସୀ ଶ୍ରମିକ ଇ-ଶ୍ରମ ପୋର୍ଟାଲ୍ରେ ନିଜର ନାଁ ପଞ୍ଜିକରଣ କରିଛନ୍ତି। କିନ୍ତୁ ଏଥିରୁ ୨୦ କୋଟି ୬୩ ଲକ୍ଷ ଶ୍ରମିକଙ୍କ ନାଁ ରାସନ କାର୍ଡରେ ରହିଛି। ଅବଶିଷ୍ଟ ଶ୍ରମିକଙ୍କ ନାଁ ରାସନକାର୍ଡ ତାଲିକାରେ ନାହିଁ। ପୀଠ କହିଛନ୍ତି ଜଣେ ଜନମଙ୍ଗଳକାରୀ ରାଜ୍ୟ ହିସାବରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଯେଉଁମାନଙ୍କୁ ରାସନକାର୍ଡ ମିଳିନି ଏବଂ ଯେଉଁମାନେ ଆବେଦନ କରି ନାହାନ୍ତି ସେମାନଙ୍କୁ ଯଥାଶୀଘ୍ର ରାସନକାର୍ଡ ଦେବା ପାଇଁ ତ୍ଵରାନ୍ଵିତ ନିଅନ୍ତୁ। ଜାତୀୟ ଖାଦ୍ୟ ସୁରକ୍ଷା ଆକ୍ଟ ଆଧାରରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ରାସନକାର୍ଡ ଦେବାକୁ ଦାବି କରି ଅଞ୍ଜଳି ଭରଦ୍ଵାଜ, ହର୍ଷ ମନ୍ଦେର ଏବଂ ଜଗଦୀପ ଛୋକ୍କର ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ଏହାରି ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରି ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।