ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା : ବଳାତ୍କାର ଦଫା ଲଗାଇବା ଦାବିରେ ରାସ୍ତାରୋକ

ଜଟଣୀ, ୧୩/୨: ଜଟଣୀ ଥାନା ଅଞ୍ଚଳର ନବମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ସୋମବାର ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ପୋଲିସ କେବଳ ହତ୍ୟା ମାମଲା ରୁଜୁ କରି ଦେଇ ଚୁପ୍‌ ହୋଇ ବସି ରହିଥିଲା। ମୃତା ଛାତ୍ରୀଙ୍କ ମାଆଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଝିଅକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଝୁଲାଇ ଦିଆଯାଇଥିଲା। ଏହି ଘଟଣାରେ କମିଶନରେଟ୍‌ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ବଳାତ୍କାର ଘଟଣାକୁ କାହିଁକି ପୋଲିସ ଚାପିଦେଇ ହତ୍ୟା ମାମଲା ରୁଜୁ କଲା, ବ୍ୟବଚ୍ଛେଦ ପରେ ଗଁାକୁ ମୃତଦେହ ନ ଆଣି କାହିଁକି ପୁରୀରେ ସଂସ୍କାର କରାଗଲା, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଦାବିରେ ମଙ୍ଗଳବାର ଗ୍ରାମବାସୀ ରାସ୍ତାରୋକୋ କରିଥିଲେ।

ମେଧାବୀ ଛାତ୍ରୀ ଥିଲେ ନାବାଳିକା : ମୃତା ନାବାଳିକା ଜଣକ ମେଧାବୀ ଛାତ୍ରୀ ଥିଲେ। ସେ ଖେଳକୁଦ, ସୁନ୍ଦର ଗୀତ ଗାଇ ବହୁବାର ପୁରସ୍କୃତ ହୋଇଥିଲେ ବୋଲି ସ୍କୁଲ ପରିଚାଳନା କମିଟିର ଜଣେ ସଦସ୍ୟ କହିଛନ୍ତି। ତାଙ୍କ ମୃତ୍ୟୁରେ ସ୍କୁଲର ସମସ୍ତ ବିଦ୍ୟାର୍ଥୀ, ଶିକ୍ଷୟିତ୍ରୀଶିକ୍ଷକ ଓ କର୍ମଚାରୀ ମର୍ମାହତ ବୋଲି ସେ କହିଛନ୍ତି ା

ଭାଜପା ପକ୍ଷରୁ ଥାନା ଘେରାଉ : ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଭାଜପା ପକ୍ଷରୁ ମଙ୍ଗଳବାର ଜଟଣୀ ଥାନା ଘେରାଉ କରାଯାଇଥିଲା। ବଳାତ୍କାର ଦଫା ଲାଗି ନ ଥିବାରୁ ବରିଷ୍ଠ ଭାଜପା ନେତା ସୁଦୀପ୍ତ ରାୟଙ୍କ ନେତୃତ୍ୱରେ ଏହା କରାଯାଇଥିଲା। ବଳାତ୍କାର ଦଫା ଲଗାଇବା ସହ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରାଯାଇଥିଲା। ସନ୍ତୋଷ ଜେନା, ରଶ୍ମିମୟୀ ପଟ୍ଟନାୟକ, ଅରବିନ୍ଦ ନାୟକ, ନୀଳମାଧବ ମିଶ୍ର, ରୀନା ପଟ୍ଟନାୟକ ଓ ଅନେକ ଭାଜପା କର୍ମୀ ଥାନା ଘେରାଉରେ ସାମିଲ ହୋଇଥିଲେ।