ଜମ୍ମୁ ଓ କଶ୍ମୀରର ତ୍ରାଲ୍‌ରେ ଏନ୍‌କାଉଣ୍ଟର୍ ଘଟଣାରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୬/୬ : ଦକ୍ଷିଣ କଶ୍ମୀରର ଅବନ୍ତୀପୋରା ଜିଲ୍ଲା ଅନ୍ତର୍ଗତ ତ୍ରାଲ୍ ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି ପୁଲିସ କହିଛି। ଗୁରୁବାର ସନ୍ଧ୍ୟାରେ ତ୍ରାଲ୍‌ର ଚେୱା ଉଲ୍ଲାର ଅଞ୍ଚଳରେ ଏହି ଗୁଳି ବିନିମୟ ଆରମ୍ଭ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ପୁଲିସ ଟୁଇଟ୍ କରି ଲେଖିଛି: ଏ ପର୍ଯ୍ୟନ୍ତ ଜଣେ ଅଚିହ୍ନା ଆତଙ୍କବାଦୀ ନିହତ ହୋଇଛି। ଅଭିଯାନ ଚାଲୁ ରହିଛି।

 

ପରେ ଅଧିକ ବିବରଣୀ ଦିଆଯିବ। ସେ ଅଞ୍ଚଳରେ ଆତଙ୍କବାଦୀମାନେ ଉପସ୍ଥିତ ଅଛନ୍ତି ବୋଲି ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ଭାରତୀୟ ସେନାବାହିନୀର ୪୨ ରାଷ୍ଟ୍ରୀୟ ରାଇଫଲ୍ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସର ମିଳିତ ଦଳ କର୍ଡନ୍ ଆଣ୍ଡ୍ ସର୍ଚ ଅଭିଯାନ ଚଳାଇଥିଲେ। ସରକାରୀ ଅଧିକାରୀମାନେ କହିଛନ୍ତି‌ ଯେ, ନିରାପତ୍ତା ବଳର ମିଳିତ ଦଳ ସେଠାରେ ପହଞ୍ଚିବା ପରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।