ଭୁବନେଶ୍ୱର: ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା)କୁ ଜାତୀୟ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ପାଇଁ ଚୟନ କରାଯାଇଛି । ଏହି ଅବସରରେ ଆୟୋଜିତ ଏକ ପ୍ରେସ୍ କନଫରେନ୍ସରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଲେ ଯେ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୩ ମସିହା ପାଇଁ ଓସଡମାକୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷ ପାଇଁ ଏହି ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କରାଯିବ ।
ଏହି ପୁରସ୍କାର ଆମକୁ ଅଧିକ ଦାୟିତ୍ୱବାନ କରିଛି । ଆମକୁ ଆଗାମୀ ଦିନରେ ଏ କ୍ଷେତ୍ରରେ ଆଗକୁ ରହିବାକୁ ପଡ଼ିବ । ଅନ୍ୟ ପକ୍ଷରେ ବଜ୍ରପାତ, ଅଗ୍ନିକାଣ୍ଡ, ସାପ କାମୁଡ଼ା ଯୋଗୁ ବହୁତ ଜୀବନହାନି ହେଉଛି । ସରକାର ଏବେ ଏ ଦିଗରେ ଗୁରୁତ୍ୱ ଦେଉଛନ୍ତି । ଆଗାମୀ ବର୍ଷମାନଙ୍କରେ ଏହାର ସୁଫଳ ମିଳିବ । ପାଣିରେ ବୁଡ଼ି ମୃତ୍ୟୁ ମଧ୍ୟ ଏକ ଚିନ୍ତାଜନକ ବିଷୟ । ଏ କ୍ଷେତ୍ରରେ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି । ଏବେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ସାମିଲ କରାଯାଇଛି ।
ଫଳରେ ଏବେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଶିକ୍ଷା ଦିଆଯିବ । ଅଙ୍ଗନବାଡ଼ି, ପୋଲିସ କନଷ୍ଟେବଲ, ଫରେଷ୍ଟର, ଅଙ୍ଗନବାଡ଼ି କର୍ମୀ, ମିଶନ ଶକ୍ତିର ସଦସ୍ୟମାନଙ୍କୁ ଏବେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ତାଲିମ ଦିଆଯିବ । ଓଡ୍ରାଫ୍ ଓ ଓଡ଼ିଶା ଫାୟାର ସର୍ଭିସକୁ ଅତ୍ୟାବଶ୍ୟକ ଜ୍ଞାନକୌଶଳରେ ସଜ୍ଜିତ କରାଯାଇ ଆବଶ୍ୟକ ଆଡ୍ଭାନ୍ସ ଟେକନୋଲୋଜି ଓ ସଂରଞ୍ଜାମ ଯୋଗାଇ ଦିଆଯିବା ଫଳରେ ଆପଦକାଳୀନ ପରିସ୍ଥିତିର ସମ୍ମୁଖୀନ ହେବାରେ କୌଣସି ଅସୁବିଧା ହେବ ନାହିଁ । ଏହି ଅବସରରେ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଜ୍ଞାନ ଦାସ, ଯୁଗ୍ମ ସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।